ଭୁବନେଶ୍ୱର: ରାଜ୍ୟରେ ଘର କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଝଟକା। ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟ ମୂଲ୍ୟ ଅନୁଯାୟୀ ୩%, ୪% ଓ ୫% ଭାବେ ତିନୋଟି ସ୍ଲାବ୍ରେ ଷ୍ଟାମ୍ପ ଡ୍ୟୁଟି ଲାଗୁ ହେଉଥିଲା। କିନ୍ତୁ ଏବେ ସେହି ବ୍ୟବସ୍ଥାକୁ ହଟାଇ ସମସ୍ତଙ୍କ ପାଇଁ ସିଧାସଳଖ ୫% ଷ୍ଟାମ୍ପ ଡ୍ୟୁଟି ଲାଗୁ କରାଯାଇଛି। ବୁଧବାର ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁର କରିଛି।
ଏହି ନୂଆ ନିୟମ ପରେ ଆପାର୍ଟମେଣ୍ଟ କିଣିବା ଆଉ ଅଧିକ ମହଙ୍ଗା ହେବ। ପୂର୍ବରୁ ୫ ଲକ୍ଷ ପର୍ଯ୍ୟନ୍ତ ଘର କିଣିଲେ ୩% ଏବଂ ୫ରୁ ୧୫ ଲକ୍ଷ ମଧ୍ୟରେ ୪% ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡୁଥିଲା। କିନ୍ତୁ ଏବେ ମୂଲ୍ୟ ଯେତେ ହେଉନାହିଁ, ସିଧା ୫% ଡ୍ୟୁଟି ଦେବା ଅନିବାର୍ୟ। ଏହା ସହିତ ପୂର୍ବର ରେଜିଷ୍ଟ୍ରେସନ୍ ଫି’ ମଧ୍ୟ ଲାଗୁ ରହିବ।
ରାଜସ୍ୱ ବିଭାଗ କହୁଛି, ବର୍ତ୍ତମାନ ସମୟରେ ୧୫ ଲକ୍ଷରୁ କମ୍ ମୂଲ୍ୟରେ ଫ୍ଲାଟ୍ ମିଳୁନାହିଁ, ସେହିପାଇଁ ପୁରୁଣା ସ୍ଲାବ୍ ବ୍ୟବସ୍ଥାକୁ ହଟାଯାଇଛି। କିନ୍ତୁ ଏହି ନିଷ୍ପତ୍ତି ନେଇ ପ୍ରଶ୍ନ ଉଠିଛି, ଯେଉଁ ଗରିବ ଓ ମଧ୍ୟମବର୍ଗୀୟ ପରିବାର ଛୋଟ ଘର କିଣୁଥିଲେ, ସେମାନେ ଏବେ ଅଧିକ ଭାର ବୋହିବାକୁ ପଡିବ।
ସରକାରଙ୍କ ସୁଲଭ ଗୃହ ଯୋଜନା ଯଥା ପିଏମ୍-ଆବାସ ଯୋଜନାରେ ଘର କିଣୁଥିବା ଲୋକମାନେ ମଧ୍ୟ ଏଥିରୁ ବଞ୍ଚି ପାରିବେ ନାହିଁ। ପୂର୍ବରୁ କମ୍ ଡ୍ୟୁଟି ଦେଉଥିବା ଏହି ବର୍ଗକୁ ଏବେ ସିଧା ୫% ଦେବାକୁ ପଡିବ।
ଅନ୍ୟ ରାଜ୍ୟରେ କମ୍ ମୂଲ୍ୟର ଘର ପାଇଁ ରିହାତି ଥିବା ବେଳେ ଓଡ଼ିଶାରେ ଏହି ପଦକ୍ଷେପ ନେଇ ବିରୋଧ ବଢ଼ିଛି। ଏହା ଦ୍ୱାରା ଘର ମୂଲ୍ୟ ଆଉ ବଢ଼ିବ ଓ ବଜାରରେ ଅନେକ ଫ୍ଲାଟ୍ ଖାଲି ପଡି ରହିବା ସମ୍ଭାବନା ରହିଛି।
ତଥାପି ସରକାର ପକ୍ଷରୁ କୁହାଯାଇଛି ଯେ ସୁଲଭ ଗୃହ ଯୋଜନା ପାଇଁ ବିଶେଷ ରିହାତି ବିଚାରଧୀନ ଅଛି। ଏବେ ନଗର ଉନ୍ନୟନ ବିଭାଗର ଅନ୍ତିମ ନିଷ୍ପତ୍ତିକୁ ନଜର ରଖିଛନ୍ତି ସମସ୍ତେ।