ଗୋଟିଏ ପଟେ ରାଜ୍ୟ ସରକାର ରାଜଧାନୀ ଡାନ୍ସ ବାର୍ ଉପରେ କଟକଣା ଲାଗୁ କରିଥିବାବେଳେ ଅନ୍ୟପଟେ ଅବାଧରେ ଚାଲିଛି ରାତିସାରା ରେଭ୍ ପାର୍ଟି । ନିଶାରେ ମତୁଆଲା ହୋଇ ଡିଜେ ମ୍ୟୁଜିକରେ ଝୁମୁଛନ୍ତି ଯୁବପୀଢ଼ି । ଶେଷରେ ଖବର ପାଇ ଚଢ଼ଉ କରିଛି କମିଶନରେଟ୍ ପୋଲିସ ।
ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳରେ ଏକ ହୋଟେଲର ରେଭ୍ ପାର୍ଟି ଆୟୋଜିତ ହୋଇଥିଲା । ଶତାଧିକ ଯୁବପୀଢ଼ି ନିଶା ଶକ୍ତ ଅବସ୍ଥାରେ ରାତି ସାରା ନାଚିଥିଲେ । ଖବର ପାଇ ମେଣ୍ଢାଶାଳ ଏବଂ ଚନ୍ଦକା ଥାନା ପୋଲିସ ଚଢ଼ଉ କରିଥିଲା । ଚଢ଼ଉବେଳେ ନିଶା ଦ୍ରବ୍ୟ ସହିତ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ପୋଲିସ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ପୋଲିସ କହିଛି ଯେ ଏହା ରେଭ୍ ପାର୍ଟି ନ ଥିଲା ବରଂ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜନ୍ମ ଦିନ ପାର୍ଟି ଥିଲା । କିନ୍ତୁ ସେଠାରେ ବିପୁଳ ପରିମାଣରେ ମଦ ପିଇଥିଲେ ।
କେବଳ ଏହି ଗୋଟେ ସ୍ଥାନରେ ନୁହେଁ ଏପରି ଅନେକ ରିସର୍ଟ ଏବଂ ହୋଟେଲରେ ବେଆଇନ ଭାବେ ରେଭ୍ ପାର୍ଟି ଚାଲୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ରେଭ୍ ପାର୍ଟି ପାଇଁ ଅନୁମତି ଦେଉଛି କିଏ ? ନାଁ ପୋଲିସ ଜାଣତରେ ଏସବୁ କିଛି ଚାଲିଛି ।