କେନ୍ଦ୍ରାପଡ଼ା: ଯୌତୁକ ପାଇଁ ଝିଅକୁ ଜିଅନ୍ତା ଜାଳି ଦେଲେ ଶାଶୁଘର ଲୋକ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପ ଘର ଲୋକେ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବେଣାକନ୍ଦା ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ବିଲ ମଝିରେ ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ସୁରେଖା ମଣ୍ଡଳ । ପରିବାର ଲୋକେ ଶାଶୁ ଘର ଲୋକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ସୁରେଖାଙ୍କ ମାଆଙ୍କ ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନଳଢଳିଆ ଗ୍ରାମର ସୁରେଖା ମଣ୍ଡଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବେଣାକନ୍ଦା ଗ୍ରାମର ବିଶ୍ୱଜିତ ମଣ୍ଡଳଙ୍କୁ ବିବାହ କରିଥିଲେ । ବିବାହକୁ ଚାରି ବର୍ଷ ହୋଇଥିବାବେଳେ ତାଙ୍କର ଗୋଟିଏ ତିନି ବର୍ଷର ଶିଶୁ ପୁତ୍ର ଅଛି । କିନ୍ତୁ ବିବାହ ପରଠାରୁ ସବୁବେଳେ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ଆସୁଥିଲେ । ବିଭିନ୍ନ ସମୟରେ ମାରଧର ମଧ୍ୟ କରୁଥିଲେ । ଗତକାଲି ରାତି ଏଗାରଟାରେ ଝଗଡ଼ା ହେବାରୁ ଶାଶୁ ଘର ଲୋକେ ସୁରେଖାଙ୍କ ବାପ ଘର ଲୋକଙ୍କୁ ଡାକିଥିଲେ । ଏହା ହଠାତ୍ ଆଜି ସକାଳୁ ଘର ପାକ ନିକଟସ୍ଥ ଚାଷ ଜମିରେ ସୁରେଖା ପୋଡ଼ା ମୃତ ଦେହ ମିଳିଥିଲା । ସୁରେଖାଙ୍କ ଅଧାପୋଡା ମୃତଦେହ ପଡିଥିବାର ଦେଖିଲାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏ ନେଇ ବାପ ଘର ଜାଣିବା ପରେ ଗାଁରେ ପହଁଚିଥିଲେ ।
ସୁରେଖାଙ୍କୁ ଶାଶୁ ଘର ଲୋକେ ପୋଡ଼ି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ନିକଟରେ ପଡ଼ିଥିବା ଦୁଇଟି ପ୍ଲାଷ୍ଟିକ ଜାର ଜବତ କରିଛି । ଏହା ସହିତ ନିକଟରେ ଥିବା ପାଳ ଗଦା ମଧ୍ୟ ଜଳିଯାଇଥିବାର ଦେଖିବାକୁ ମିଳିଛି । ସୁରେଖାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ପୋଲିସ ସ୍ୱାମୀ ବିଶ୍ୱଜିତଙ୍କୁ ଅଟକ ରଖିବା ସହିତ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ।