ପଶ୍ଚିମବଙ୍ଗର ଫାଲ୍ଟା ପୋଲିସ ଷ୍ଟେସନ ଉପରେ ଆକ୍ରମଣ ଏବଂ ଟିଏମସି ନେତା ଜାହାଙ୍ଗୀର ଖାନଙ୍କୁ ମୁକ୍ତ କରିବାର ଷଡ଼ଯନ୍ତ୍ର ମାମଲାରେ ତାଙ୍କ ପତ୍ନୀ ରେଜିନା ବିବିଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ରେଜିନା ହିଁ ଏହି ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲେ। ତାଙ୍କ ଉପରେ ଫାଲ୍ଟା ପୋଲିସ ଷ୍ଟେସନ ଉପରେ ଆକ୍ରମଣ ଚେଷ୍ଟା ପଛର ମାଷ୍ଟରମାଇଣ୍ଡ ହୋଇଥିବାର ଅଭିଯୋଗ ରହିଛି। ଅନେକ ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା ଖାନଙ୍କୁ ନେପାଳ ସୀମା ନିକଟରୁ ଗିରଫ କରାଯାଇଥିଲା।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଘଟଣା ପରଠାରୁ ଫେରାର ଥିବା ରେଜିନା ବିବିଙ୍କୁ ଏକ ବିଶେଷ ସୂତ୍ରରୁ ଖବର ପାଇ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଜୁଲପିଆ ଅଞ୍ଚଳରୁ କାବୁ କରାଯାଇଛି। ପୋଲିସ କହିବା ଅନୁଯାୟୀ, ରେଜିନା ସମର୍ଥକମାନଙ୍କୁ ଏକଜୁଟ କରିବାରେ ଏବଂ ସେହି ପ୍ରଦର୍ଶନର ଯୋଜନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ଫାଲ୍ଟାରେ ହୋଇଥିବା ପୁନଃନିର୍ବାଚନ ସମୟରେ ତୃଣମୂଳ ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ମୁକ୍ତ କରିବା। ଏହି ମାମଲାରେ ରେଜିନା ବିବିଙ୍କ ଗିରଫଦାରୀ ସହ ମୋଟ ଗିରଫ ସଂଖ୍ୟା ୨୬ରେ ପହଞ୍ଚିଛି।
ରେଜିନାଙ୍କ ଉପରେ ଲାଗିଥିବା ଅଭିଯୋଗ
ପୋଲିସର କହିବା କଥା ଯେ, ଲୋକଙ୍କୁ ଏକାଠି କରିବା ଏବଂ ତା' ପରେ ପୋଲିସ ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ପଛର ଅନ୍ୟତମ ମୁଖ୍ୟ ଷନଯନ୍ତ୍ରକାରୀ ଥିଲେ ରେଜିନା। ତାଙ୍କ ଉପରେ ଅନେକ ଗମ୍ଭୀର ଅଭିଯୋଗ ଅଣାଯାଇଛି। ଅଭିଯୋଗ ଅନୁଯାୟୀ, ହିଂସାକାଣ୍ଡର ଗୋଟିଏ ଦିନ ପୂର୍ବରୁ ରେଜିନାଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପୋଲିସ ଷ୍ଟେସନଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ସମର୍ଥକମାନଙ୍କୁ ଏକାଠି କରି ଏକ ସୁଚିନ୍ତିତ ଢଙ୍ଗରେ ସେଠାକୁ ମାର୍ଚ୍ଚ କରିବା ପାଇଁ ଯୋଜନା କରାଯାଇଥିଲା।
ଏହିସବୁ ଆକ୍ଟରେ ହେବ କାର୍ଯ୍ୟାନୁଷ୍ଠାନ
ରେଜିନା ବିବିଙ୍କ ଗିରଫଦାରୀ ପରେ, ଏବେ ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ୨୦୨୩, ଆର୍ମ୍ସ ଆକ୍ଟ ୧୯୫୯ ଏବଂ ଏକ୍ସପ୍ଲୋସିଭ୍ସ ଆକ୍ଟ ୧block ୧୮୮୪ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଧାରାରେ ମାମଲା ରୁଜୁ ହୋଇଛି। ପୋଲିସ ତାଙ୍କୁ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅଦାଲତରେ ହାଜର କରିବ।
ପୋଲିସ ଷ୍ଟେସନରେ ପଶିବାକୁ ଚେଷ୍ଟା
ପ୍ରଦର୍ଶନକାରୀମାନେ ପୋଲିସ ଗାଡ଼ି ଭଙ୍ଗାରୁଜା କରିବା ଏବଂ ଜବରଦସ୍ତି ପୋଲିସ ଷ୍ଟେସନ ଭିତରକୁ ପଶିବାକୁ ଚେଷ୍ଟା କରିବା ପରେ ପରିସ୍ଥିତି ଉଗ୍ର ରୂପ ଧାରଣ କରିଥିଲା। ଏହାପରେ ସେହି ଉତ୍ତ୍ୟକ୍ତ ଭିଡ଼କୁ ହଟାଇବା ପାଇଁ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଥିଲା। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ସୁରକ୍ଷାକର୍ମୀଙ୍କ ଲାଠିଚାର୍ଜ ପରେ ଅନେକ ଲୋକ ସେଠାରୁ ଦୌଡ଼ି ପଳାଇଥିଲେ ଏବଂ କିଛି ଲୋକ ଗିରଫଦାରୀରୁ ବର୍ତ୍ତବା ପାଇଁ ନିକଟସ୍ଥ ପୋଖରୀକୁ ଡେଇଁପଡ଼ିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ
ରେଜିନା ବିବିଙ୍କ ଗିରଫଦାରୀ ଏଭଳି ଏକ ସମୟରେ ହୋଇଛି ଯେତେବେଳେ ମେ' ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟ ପରେ ବିଜେପି ସରକାର ରାଜ୍ୟର କେତେକ ଅଞ୍ଚଳରେ ଅପରାଧିକ ଗ୍ୟାଙ୍ଗ୍ ଏବଂ ବାହୁବଳୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ ବୁଧବାର ଦିନ ଫାଲ୍ଟାରେ ଏକ ଜନସମ୍ପର୍କ କାର୍ଯ୍ୟକ୍ରମ ସମୟରେ ଚେତାବନୀ ଦେଇଥିଲେ ଯେ ସରକାର "ଗୁଣ୍ଡାରାଜ୍ କିମ୍ବା ଉଗ୍ରବାଦ" ବରଦାସ୍ତ କରିବେ ନାହିଁ। ସେ ପୋଲିସ ଷ୍ଟେସନ ଆକ୍ରମଣରେ ସାମିଲ ଥିବା ଲୋକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ନିର୍ବାଚନରୁ ଓହରି ଯାଇଥିଲେ ଜାହାଙ୍ଗୀର
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଖାନ ନିଜକୁ ଏକ ଲୋକପ୍ରିୟ ତେଲୁଗୁ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର 'ପୁଷ୍ପା' ଭାବେ ଉପସ୍ଥାପିତ କରିଥିଲେ ଏବ ସେ କେବେ ହେଲେ କୌଣସି ଚାପରେ "ଝୁକିବେ ନାହିଁ" ବୋଲି ଦାବି କରିଥିଲେ। ତେବେ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଶୋଚନୀୟ ପରାଜୟ ପରେ ନିର୍ବାଚନ କମିଶନ ଫାଲ୍ଟାରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଖାନ ନିର୍ବାଚନ ମୈଦାନରୁ ଓହରି ଯାଇଥିଲେ ଏବଂ ଭାରତୀୟ ଜନତା ପାର୍ଟି (BJP) ପ୍ରାର୍ଥୀ ଏହି ଆସନକୁ ବଡ଼ ବ୍ୟବଧାନରେ ଜିତିଥିଲେ। ଖାନ ଏହି ପ୍ରତିଦ୍ୱନ୍ଦ୍ୱିତାରେ ଚତୁର୍ଥ ସ୍ଥାନରେ ରହିଥିଲେ।