ନୂଆଦିଲ୍ଲୀ: ଆସନ୍ତାକାଲି ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା । ନାଗପୁରର ଜଣେ ଛାତ୍ର ଅବଦ୍ଦୁଲା ମହମ୍ମଦଙ୍କ ଆବୁଧାବୀରେ ପରୀକ୍ଷା କେନ୍ଦ୍ର ହେବାକୁ ନେଇ ଏନଟିଏ ପୁଣି ବିବାଦକୁ ଆସିଛି । ଏନଟିଏ ନିଜ ଦୋଷ ସ୍ୱୀକାର କରିବା ସହିତ ସ୍ପଷ୍ଟୀକରଣ ରଖିଛି ।
ଏନଟିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଆଶାୟୀ ଜଣକ ନିଜ ତରଫରୁ ପରୀକ୍ଷା କେନ୍ଦ୍ର ଚୟନରେ ପରିବର୍ତ୍ତନ କରିଛନ୍ତି । ଯେଉଁ ଆଶାୟୀ ଜଣକ ଆବୁଧାବୀରେ ପରୀକ୍ଷା କେନ୍ଦ୍ର ବଦଳିଯିବାକୁ ନେଇ ଅଭିଯୋଗ କରିଛନ୍ତି , ସେହି ଆଶାୟୀ ଜଣକ ନିଜେ ପୋର୍ଟାଲରେ ଲଗ୍-ଇନ୍ କରିକି ନିଜ ପରୀକ୍ଷା କେନ୍ଦ୍ରର ପ୍ରଥମ ପସନ୍ଦକୁ ବଦଳାଇ ଦେଇଥିଲେ । ସେ ଯେଉଁ ଆଇପି ଆଡ୍ରେସରେ ପରୀକ୍ଷା କେନ୍ଦ୍ର ବଦଳାଇଛନ୍ତି ପୂର୍ବରୁ ୩ ମେ ପରୀକ୍ଷା ପାଇଁ ସେହି ଆଇପି ଆଇଡ୍ରେସରୁ ଆର୍ଡମିଟ୍ କାର୍ଡ ଡାଉନଲୋଡ୍ କରିଛନ୍ତି । ପୁନଃପରୀକ୍ଷା ପାଇଁ ନୋଟିସ୍ ବାହାରିବା ପରେ ୨୧ ମେରେ ଆଶାୟୀ ଛାତ୍ର ଜଣକ ପୋର୍ଟାଲରେ ଲଗ୍ଇନ କରି ପରୀକ୍ଷା ହେବାକୁ ଥିବା ସହରକୁ ବଦଳାଇ ନିଜ ଇଚ୍ଛା ଅନୁସାରେ ଆବୁଧାବୀକୁ ପ୍ରଥମ ଏବଂ ଦୁବାଇକୁ ଦ୍ୱିତୀୟ ପସନ୍ଦରେ ଚୟନ କରିଛନ୍ତି । ଏହା ରେକର୍ଡରେ ରହିଛି । ଏମିତିକି ୨୪ ମେରେ ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କ ବିବରଣୀ ଦେଇଛନ୍ତି, ୧୦ ଜୁନରେ ସିଟି ଇଣ୍ଟିମେସନ୍ ସ୍ଲିପ୍ ଦେଖିଛନ୍ତି ଏବଂ ୧୬ ଜୁନରେ ସେ ଆଡର୍ମିଟ୍ କାର୍ଡ ଡାଉନଲୋଡ୍ ମଧ୍ୟ କରିଛନ୍ତି । ଆଶାୟୀ ଜଣକ ପୋର୍ଟାଲରେ କ’ଣ କ’ଣ କରିଛନ୍ତି ତାହାର ସମସ୍ତ ଗତିବିଧି ଆଇପି ଆଡ୍ରେସରେ ରେକର୍ଡ ହୋଇ ରହିଛି । କିନ୍ତୁ ୧୬ ଜୁନରେ ଏନଟିଏକୁ କୌଣସି ଅଭିଯୋଗ କିମ୍ବା ସମ୍ପର୍କ କରିବା ବଦଳରେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୨୦ ଜୁନରେ ତାଙ୍କ ବାପା ସିଧାସଳଖ ଗଣମାଧ୍ୟମ ପାଖରେ ପହଁଚି ଯାଇଥିଲେ ।
ତେବେ ଏହାର ସାଇବର୍ ଟିମ୍ ଯାଞ୍ଚ କରୁଛି । ଛାତ୍ର ଜଣକ ନିଜେ ପରିବର୍ତ୍ତନ କରିଛନ୍ତି ନାଁ ଆଉ କିଏ ଏମିତି କରିଛି ତାହାର ତର୍ଜମା ଜାରି ରହିଛି ।
ଅବଦୁଲାଙ୍କ ବାପା ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅର ନିଟ୍ ପରୀକ୍ଷା କେନ୍ଦ୍ର ଆବୁଧାବୀରେ କରାଯାଇଛି ।ତାଙ୍କ ପୁଅ ପାଖରେ ପାସପୋର୍ଟ ନାହିଁ କିମ୍ବା ଏତେ କମ୍ ସମୟରେ ସେ ଆବୁଧାବୀ ଯାଇପାରିବେ ନାହିଁ । ଏଥିପାଇଁ ସେ ଏନଟିଏକୁ ଦାୟୀ କରିଛନ୍ତି । ସେ କହିଛନ୍ତି ତାଙ୍କ ପୁଅ ୩ ମେରେ ହେବାକୁ ଥିବା ନିଟ୍ ପରୀକ୍ଷା ପାଇଁ ପ୍ରଥମ ପସନ୍ଦରେ ନାଗପୁର, ଦ୍ୱିତୀୟ ପସନ୍ଦରେ ୱାର୍ଦ୍ଧା ଏବଂ ତୃତୀୟ ପସନ୍ଦରେ ଭଣ୍ଡାରା ଚୟନ କରିଥିଲେ । କିନ୍ତୁ ପୁନଃପରୀକ୍ଷା ପାଇଁ ଆଡମିଟ୍ କାର୍ଡଡାଉନ ଲୋଡ୍ କରିବା ପରେ ଦେଖାଯାଇଥିଲା କି ପରୀକ୍ଷା କେନ୍ଦ୍ର ଆବୁଧାବୀରେ ଏକ ବିଦ୍ୟାଳୟରେ ହୋଇଛି । ଯେଉଁଥିପାଇଁ ଏନଟିଏ ପୁଣି ଥରେ ବିବାଦ ଘେରକୁ ଆସିଯାଇଛି ।