ଭୁବନେଶ୍ୱର: ରାଜଧାନୀରେ ନକଲି ପୋଲିସ ଅଫିସରକୁ ଧରିଲା ଅସଲି ପୋଲିସ । ପୋଲିସ ଅଧିକାରୀ କହି ଲୋକଙ୍କୁ ଲୁଟୁଥିବା ବାପା ପୁଅଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ସାମନ୍ତରାପୁରର ନକଲି ପୋଲିସ ଅମିତ କୁମାର ଓଝା ଏବଂ ତାଙ୍କ ବାପା ଅଶୋକ କୁମାର ଓଝା ଗିରଫ ହୋଇଛନ୍ତି ।
ଅମିତ କୁମାର ଓଝା ଟ୍ରୁ କଲରେ ଏସଆଇ ବୋଲି ଲେଖିଥିଲେ । ଏହା ପରେ ଲୋକଙ୍କୁ କ୍ରିକେଟ୍ ଟିକେଟ୍ ଦେବେ କହି ଟଙ୍କା ମାଗୁଥିଲେ । ଟଙ୍କା ନେବା ପରେ ଆଉ ଧରା ଛୁଆଁ ଦେଉନଥିଲେ । ଯଦି କହି କଲ୍ କରୁଥିଲେ ତାହା ହେଲେ ନିଜକୁ ପୋଲିସ ଅଫିସର ବୋଲି ପରିଚୟ ଦେଇ ଧମକାଉଥିଲେ । ଆଉ ସେହି ଟଙ୍କା ବାପା ଅଶୋକଙ୍କ ଆକାଉଣ୍ଟକୁ ପଠାଉଥିଲା । ଏପରିକି ଏକାଧିକ ମୋବାଇଲ ବ୍ୟବହାର କରୁଥିଲେ । ଜଣେ ମହିଳାଙ୍କଠାରୁ 50 ହଜାର ଟଙ୍କା ଠକିନେବା ପରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଥିଲା ।
ପୋଲିସ ତଦନ୍ତ କରି ଶେଷରେ ବାପା ଓ ପୁଅଙ୍କୁ ଗିରଫ କରିଛି । ଏହା ପରେ ଉଭୟଙ୍କୁ ଜେରା ଜାରି ରଖିଛି ।