ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରୁ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ପୁଣି ଦୁଇ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୁଶ୍ରୀ ନିବେଦିତା ତରାଇ ଏବଂ ତାଙ୍କର ଲିଭ୍-ଇନ୍ ପାର୍ଟନର୍ ନୃସିଂହ ପ୍ରସାଦ ଖମାରିଙ୍କୁ ଗିରଫ କରାଯାଇଛି । ଏ ଦୁଇ ଜଣ ଶାଖା ପରିଚାଳକ ସୁଧାଂଶୁ ଖୋରାଙ୍କ ସହିତ ଜଡ଼ିତ ଅଛନ୍ତି । ଦୁଇ ତଳେ ସୁଧାଂଶୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଫଳର ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
ବ୍ରାଞ୍ଚ ମ୍ୟାନେଜର ସୁଧାଂଶୁ ଖୋରା ଧରାପଡ଼ିବା ଭୟରେ ପ୍ରାୟ ୬୩ ଲକ୍ଷ ଟଙ୍କା ତାଙ୍କ ସହଯୋଗୀ ସୁଶ୍ରୀ ନିବେଦିତା ତରାଇ ଏବଂ ନୃସିଂହ ପ୍ରସାଦ ଖମାରିଙ୍କୁ ହସ୍ତାନ୍ତର କରିଥିଲେ। ଶ୍ରୀ ଖୋରା ଫେସବୁକ୍ ପ୍ରୋଫାଇଲ୍ ମାଧ୍ୟମରେ ସୁଶ୍ରୀ ନିବେଦିତାଙ୍କ ସମ୍ପର୍କରେ ଆସିଥିଲା । ସୁଶ୍ରୀ ନିବେଦିତା ଫେସବୁକରେ ତାଙ୍କ ପ୍ରୋଫାଇଲ୍ ନା ସୁଶ୍ରୀ ସୁଲଗ୍ନା ରଖିଛନ୍ତି । ମିଳିତ ଭାବରେ ବ୍ୟାଙ୍କ ପାଣ୍ଠି ହଡ଼ପ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ସେଥିରେ ସାଥ୍ ଦେଇଥିଲେ ସୁଶ୍ରୀଙ୍କ ପୁରୁଷ ବନ୍ଧୁ ନୃସିଂହ ଖମାରି । ଉଭୟ ଦୀର୍ଘ ଦିନ ହେବ ଲିଭ୍ ଇନରେ ରହିଆସୁଛନ୍ତି ।
ଏହି ଦୁଇ ଜଣ ବୃତ୍ତିଗତ ରାକେଟ୍ ଚଳାଉଥିଲେ । ଲୋକଙ୍କ ଠକିବା ସେମାନଙ୍କ ପେଶା । ଏମାନଙ୍କ ଠକେଇର ଚେର ରାଜ୍ୟ ଭିତରେ ଏବଂ ବାହାର ପର୍ୟ୍ୟନ୍ତ ଲମ୍ବିଛି । ଏପରିକି ସୁଦୂର ବେଙ୍ଗାଲୁରୁରେ ମଧ୍ୟ ଖମାରୀ ଠକେଇ ରାକେଟ୍ ଚାଲୁଥିଲା । ବାଙ୍ଗାଲୋର ୧୪ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ବେଙ୍ଗାଲୁରୁ ପୋଲିସ କମିଶନରେଟରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ସେହିପରି ଜଗତସିଂପୁରରେ ମଧ୍ୟ ସେମାନେ ଆଉ ଏକ ୩୦ ଲକ୍ଷ ଟଙ୍କାର ଠକେଇ କରିଥିବା ଜଣାପଡିଛି । ସେହିପରି ବାରିପଦା, ପାରାଦୀପ ଏବଂ ଭୁବନେଶ୍ୱରରେ ମଧ୍ୟ ଅନେକ ଠକେଇରେ ସମ୍ପୃକ୍ତି ରହିଛି ।
ଭିଜିଲାନ୍ସ ଏହି ଦୁଇଜଣଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ୨୫ଟି ଆକାଉଣ୍ଟ ଯାଞ୍ଚ କରୁଛି । ସେହିପରି ୧୨ଟି ଷ୍ଟକ୍ ଟ୍ରେଡିଂ ଆକାଉଣ୍ଟ ଯାଞ୍ଚରେ ରହିଛି । ଭୁବନେଶ୍ୱର/ଖୋର୍ଦ୍ଧାରେ ସେମାନଙ୍କ ଘର ତଲାସି ସମୟରେ, ୩୩ଟି ମୋବାଇଲ୍ ଫୋନ୍, ଡେସ୍କଟପ୍, ଟାବଲେଟ୍, ଅଳଙ୍କାର, ଏକ ଡ୍ରୋନ୍, ଉଚ୍ଚମାନର କ୍ୟାମେରା, ଇତ୍ୟାଦି ଉଦ୍ଧାର ଏବଂ ଜବତ କରାଯାଇଛି। ତେବେ ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ନିର୍ଦ୍ଦିଷ୍ଟ ଅପରାଧ ପରେ ୨୭ଟି ମୋବାଇଲକୁ ସେମାନେ ଭାଙ୍ଗି ଦେଇଥିବା ଦେଖାଯାଇଛି ।
ଉଲ୍ଲେଖ ଯୋଗ୍ୟ, ମାଲକାନଗିରି ଲାମ୍ପ୍ସ ବ୍ରାଞ୍ଚ ଇନଚାର୍ଜ ୭୭ ଲକ୍ଷ ଟଙ୍କା କେସିସି ବ୍ୟାଙ୍କରେ ନିଜେ ଟଙ୍କା ଜମା ନ କରି ମ୍ୟାନେଜର ସୁଧାଂଶୁ ଖୋରାଙ୍କୁ ଜମା କରିବାକୁ ଦେଇଥିଲେ । କିନ୍ତୁ ମ୍ୟାନେଜର ଟଙ୍କା ନେଇ ଏକ ନକଲି ରସିଦ ଦେଇଥିଲେ । ସେହିପରି ପୋଟେରୁ ଲ୍ୟାମ୍ପସ ଇନଚାର୍ଜ ପ୍ରଥମେ ୮ ଲକ୍ଷ ୧୦ ହଜାର ଓ ପରେ ୨୧ ଲକ୍ଷ ୯୫ ହଜାର ଟଙ୍କା ବ୍ୟାଙ୍କ ମ୍ୟାନେଜରକୁ ଦେଇଥିଲେ। ସେହିପରି ବ୍ୟାଙ୍କ ମ୍ୟାନେଜର ମଧ୍ୟ ନକଲି ରସିଦ ଦେଇଥିଲେ । ତେବେ ମାର୍ଚ୍ଚ ମାସ ଶେଷରେ ହିସାବ ବେଳକୁ ଟଙ୍କାର ହିସାବ ମିଳିନଥିଲା । ଏନେଇ ଡିଆରସିଏସ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ସମସ୍ତ ଟଙ୍କାକୁ ମ୍ୟାନେଜର ନିର୍ଦ୍ଧାରିତ ଆକାଉଣ୍ଟରେ ଜମା ନକରି ନିଜେ ହାତେଇଥିବା ଜଣାପଡ଼ିଥିଲା । ଟଙ୍କା ହେରେଫେର ଅଭିଯୋଗରେ ତୁରନ୍ତ ବ୍ୟାଙ୍କ ମ୍ୟାନେଜର ପୂର୍ବରୁ ନିଳମ୍ବିତ କରାଯାଇଥିବାବେଳେ ଗିରଫ ମଧ୍ୟ କରାଯାଇଛି ।