ଭୁବନେଶ୍ୱର: ବିଜୁ ଜନତା ଦଳରେ ପୁଣି ଥରେ ବିରୋଧର ବହ୍ନି ଜଳିଛି । ରାଜ୍ୟସଭା ନିର୍ବାଚନରେ ତାହା ସ୍ପଷ୍ଟ ପ୍ରତିଫଳିତ ହୋଇଛି । ସେଦିନ ବିଜେଡ଼ିକୁ ଚକମା ଦେଇ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇ ଖୋଲାଖୋଲି ସୁପ୍ରିମୋ ନବୀନଙ୍କୁ ଚ୍ୟାଲେଞ୍ଜ ଦେଇଥିବା ଦେବୀ ରଞ୍ଜନ ତ୍ରିପାଠୀ ଆଜି ସାମ୍ବାଦିକ ସମ୍ମିଳନୀରେ ଖୁବ ବର୍ଷିଛନ୍ତି । ବିଜୁ-ନବୀନ ଇନସ୍ପେରସନାଲ୍ ଫାଉଣ୍ଡେସନକୁ ସ୍ପଷ୍ଟୀକରଣ ମାଗିଛନ୍ତି ଦେବୀ । ସେପଟେ ବିଜେଡ଼ି ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ଦେବୀଙ୍କ ବାସଭବନ ସମ୍ମୁଖରେ ଜୋରାଦାର ବିରୋଧ ପ୍ରଦର୍ଶନ କରିଛନ୍ତି ।
ଦେବୀ ରଞ୍ଜନ ତ୍ରିପାଠୀ ଗଣମାଧ୍ୟମ ଜରିଆରେ ନବୀନଙ୍କୁ ତୀକ୍ଷଣ ପ୍ରଶ୍ନ କରିଛନ୍ତି । ଯେଉଁ ନବୀନ ବାବୁ ୨୦ ଜଣ ବିଧାୟକଙ୍କ ସମ୍ମୁଖରେ ଫାଉଣ୍ଡେସନ ଗଠନ ପ୍ରଶ୍ନକୁ ପ୍ରତ୍ୟାଖ୍ୟାନ କରିଥିଲେ ଆଜି କେମିତି ସେହି ଅଭିଯୋଗକୁ ଗ୍ରହଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଗୃହବନ୍ଦୀ ହୋଇ ରହିଥିବା ନବୀନ ବାହାରକୁ ଆସି ଖୋଲାଖୋଲି କୁହନ୍ତୁ, ତାଙ୍କ ସହିତ ସମସ୍ତେ ଅଛନ୍ତି ବୋଲି ଆହ୍ୱାନ କରିଛନ୍ତି ଦେବୀ । ସେ କହିଛନ୍ତି ଯେ ସଂତୃପ୍ତ ମିଶ୍ର ୨୦୨୪ ସାଧାରଣ ନିର୍ବାଚନରେ ପ୍ରତ୍ୟାଖ୍ୟାନ ହୋଇଥିଲେ । ଅନେକ ବିଜେଡ଼ି କର୍ମୀ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବାବେଳେ କେଉଁ ଆଧାରରେ ସଂତୃପ୍ତ ମିଶ୍ର ପ୍ରାର୍ଥୀ କରାଯାଇଛି ?
ପାଣ୍ଡିଆନଙ୍କ କବଜାରେ ବିଜେଡ଼ି ରହିଛି । ନବୀନଙ୍କୁ ଅଗୋଚରରେ ରଖି ଫାଉଣ୍ଡେସନ୍ ଗଠନ ହୋଇଛି । କାରଣ ବିଧାୟକ ଦଳ ବୈଠକରେ ୨୦ ଜଣ ବିଧାୟକ ଉପସ୍ଥିତ ଥିବାବେଳେ ପ୍ରଭାତ ବିଶ୍ୱାଳ ସେହି ପ୍ରଶ୍ନ ଉଠାଇବାରୁ ନବୀନ ନିଜେ ଖଣ୍ଡନ କରି ଭିତ୍ତିହୀନ ବୋଲି ଥିଲେ । କିନ୍ତୁ ଆଜି ସାମ୍ନାକୁ ଆସି ଫାଉଣ୍ଡେସନ୍ ଗଠନ ସମ୍ପର୍କରେ ସ୍ପଷ୍ଟୀକରଣ ଦେଉଛନ୍ତି ନବୀନ । ପାଣ୍ଡିଆନଙ୍କ କବଜାରେ ଥିବା ନବୀନ ବାବୁ ବାହାରକୁ ବାହାରନ୍ତୁ, ତାଙ୍କ ସହିତ ସାରା ଓଡ଼ିଶାବାସୀ ଛିଡ଼ା ହୋଇଛନ୍ତି । ତେଣୁ ପାଣ୍ଡିଆନଙ୍କୁ ଖୁସି କରୁଥିବା ଯୁବପୀଢ଼ି ଏବଂ ନେତୃବୃନ୍ଦମାନେ ତୋଷାମଦିଆ ରାଜନୀତି ଛାଡ଼ି ସ୍ୱର ଉତ୍ତୋଳନ କରନ୍ତୁ ବୋଲି ଦେବୀ ଆହ୍ୱାନ କରୁଛନ୍ତି ।
ସେପଟେ ବିଜେଡ଼ି ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ଦେବୀଙ୍କ ବାସଭବନ ସମ୍ମୁଖରେ ଜୋରାଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଦେବୀଙ୍କ ବିରୁଦ୍ଧରେ ନାରାବାଜି କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ଦେବୀଙ୍କ ବାସଭବନ ସମ୍ମୁଖରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଉଲ୍ଲେଖ ଯୋଗ୍ୟ, ରାଜ୍ୟସଭା ନିର୍ବାଚନ ପୂର୍ବରୁ ବସିଥିବା ବିଜେଡ଼ି ବୈଠକରେ ପ୍ରଭାତ ବିଶ୍ୱାଳ ସଂତୃପ୍ତ ମିଶ୍ରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ସେତେବେଳେ ନବୀନ ଏହାକୁ ଭିତ୍ତି ହୀନ କହିଥିଲେ । ଆଉ ପ୍ରଭାତଙ୍କୁ ତୁରନ୍ତ କୋଠରୀରୁ ବହିଷ୍କାର କରିଦିଆଯାଇଥିଲା । କିନ୍ତୁ ଗତକାଲି ଶ୍ରୀମୟୀ ମିଶ୍ର ଉକ୍ତ ଫାଉଣ୍ଡେସନ ବିଷୟରେ ସମସ୍ତ ଦସ୍ତାବିଜ ସହିତ ସାମାଜିକ ଗଣମାଧ୍ୟମରେ ଖୁଲାସା କରିଥିଲେ । ଯାହାର ଆଜି ନବୀନ ସ୍ପଷ୍ଟୀକରଣ କରିଛନ୍ତି ।