ଭୁବନେଶ୍ୱର: ଦଳୀୟ ନିର୍ଦ୍ଦେଶାବଳୀକୁ ଅବମାନନା କରିବା କଂଗ୍ରେସ ତିନି ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା କଂଗ୍ରେସ ମିଡ଼ିଆ ସେଲ୍ ସଭାପତି ଅରବିନ୍ଦ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଉପରୋକ୍ତ ତିନି ଜଣ ବିଧାୟକ ଓ ବିଧାୟିକା ଦଳୀୟ ହ୍ୱିପକୁ ଅବମାନନା କରିଥିଲେ । ମୁଖିଆଙ୍କ ତାଗିଦ ସତ୍ତ୍ୱେ ଦଳ ବିରୋଧରେ ଯାଇ ଘୋଡ଼ା ବେପାରରେ ବିକ୍ରି ହୋଇଥିଲେ ଏବଂ କ୍ରସ୍ ଭୋଟିଂ କରିଥିଲେ । ସେଥିପାଇଁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ନିଲମ୍ବିତ କରାଯାଇଥିବା ଅରବିନ୍ଦ କହିଛନ୍ତି । ଆଗାମୀ ଦିନରେ ସେମାନଙ୍କୁ ଦଳରୁ ବହିଷ୍କୃତ କରାଯିବ ସହିତ ସଦସ୍ୟ ପଦ ରଦ୍ଦ ପାଇଁ ଏସଆଇସିସିକୁ ଚିଠି ଲେଖାଯାଇଛି । ଏପରିକି ସେମାନେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଆଲୋଚନା ପାଇଁ ମଧ୍ୟ ବେଙ୍ଗାଲୁରୁ ଯାଇନଥିଲେ । ଯାହାକି ସେମାନେ ଦଳଠୁ ଦୂରେଇ ଯାଇଥିବାର ପ୍ରମାଣ ମିଳିଛି । ତେଣୁ ଏମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅରବିନ୍ଦଙ୍କ କହିବା ଅନୁସାରେ, ସାମ୍ବିଧାନିକ ନିୟମାବଳୀ ଆଧାରରେ ତିନି ଜଣଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ସୁପାରିଶ କରାଯିବ । ଅତୀତରେ ଶରଦ ଯାଦବଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ପୁନରାବୃତ୍ତି ହେବ । ଯେଉଁ ଆଧାରରେ ଶରଦ ଯାଦବଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ସେହି ଆଧାରରେ ଏମାନଙ୍କ ସଦସ୍ୟ ପଦ ରଦ୍ଦ ପାଇଁ ସୁପାରିଶ କରାଯିବ । ସମ୍ବିଧାନର ୧୦ ପରିଚ୍ଛେଦରେ ଥିବା ପାରା ୨(୧, କ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କ’ଣ କହୁଛି ସାମ୍ବିଧାନିକ ନିୟମ ?
ଅଯୋଗ୍ୟତା କାରଣ: ଯଦି ଜଣେ ସଦସ୍ୟ ସ୍ୱେଚ୍ଛାକୃତ ଭାବରେ ତାଙ୍କ ଦଳରୁ ଇସ୍ତଫା ଦିଅନ୍ତି, କିମ୍ବା ଦଳୀୟ ନିର୍ଦ୍ଦେଶ (ହୁଇପ୍) ବିରୁଦ୍ଧରେ ଭୋଟ୍ ଦିଅନ୍ତି କିମ୍ବା ଭୋଟ୍ ଦେବାରୁ ଦୂରେଇ ରୁହନ୍ତି, ତେବେ ତାଙ୍କୁ ଅଯୋଗ୍ୟତା ଘୋଷଣା କରାଯାଏ ।
ମିଶ୍ରଣ ବ୍ୟତିକ୍ରମ: ଯଦି ଜଣେ ସଦସ୍ୟଙ୍କ ମୂଳ ଦଳ ଅନ୍ୟ ଦଳ ସହିତ ମିଶ୍ରଣ ହୁଏ ଏବଂ ସଦସ୍ୟ - ଅନ୍ୟମାନଙ୍କ ସହିତ - ନୂତନ ଦଳର ଅଂଶ ହୋଇଯାଆନ୍ତି, ତେବେ ଅଯୋଗ୍ୟତା ପ୍ରଯୁଜ୍ୟ ହୁଏ ନାହିଁ।
ନିର୍ଣ୍ଣାୟକ କର୍ତ୍ତୃପକ୍ଷ: ଅଯୋଗ୍ୟତା ମାମଲା ଉପରେ ନିଷ୍ପତ୍ତି ନେବା ପାଇଁ ଗୃହର ବାଚସ୍ପତି କିମ୍ବା ଅଧ୍ୟକ୍ଷଙ୍କ ଚୂଡ଼ାନ୍ତ ଅଧିକାର ଅଛି।
ନ୍ୟାୟିକ ସମୀକ୍ଷା: ଦଶମ ଅନୁସୂଚୀ ସ୍ଥିରତା ପାଇଁ ଲକ୍ଷ୍ୟ ରଖିଥିବା ବେଳେ, ବାଚସ୍ପତିଙ୍କ ନିଷ୍ପତ୍ତି କୋର୍ଟ ଦ୍ୱାରା ନ୍ୟାୟିକ ସମୀକ୍ଷାର ସାମ୍ନା କରିବ ।
ଉଲ୍ଲେଖ ଯୋଗ୍ୟ, ବିଗତ ଦିନରେ ଶରଦ ଯାଦବ ଜେଡିୟୁର ନେତା ଥିଲେ । ନୀତିଶ କୁମାର ଏବଂ ଶରଦ ଯାଦବଙ୍କ ମଧ୍ୟରେ ମତ ମତାନ୍ତର ହୋଇଥିଲା । ୨୦୧୬ ମସିହାରେ ଜେଡିୟୁ ଦଳରୁ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଶରଦ ଯାଦବ ଓ ଅଲ୍ଲୀ ଅନଓ୍ଵାର ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ । ୨୦୧୬, ଜୁଲାଇ ମାସରେ ନୀତିଶ କୁମାର କଂଗ୍ରେସ ଓ ଆରଜେଡିର ହାତ ଛାଡ଼ି ବିଜେପି ସହିତ ମିଶି ବିହାରରେ ସରକାର ଗଠନ କରିବା ନିଷ୍ପତ୍ତି ଶରଦ ଯାଦବ ବିରୋଧ କରିଥିଲେ। ଏହା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ଶରଦ ଯାଦବଙ୍କୁ ଜେଡିୟୁ ସଂସଦୀୟ ଦଳର ନେତା ପଦରୁ ହଟାାଇ ଦଳର ମହାସଚିବ ତଥା ରାଜ୍ୟ ସଭା ସାଂସଦ ଆରସିପି ସିଂହଙ୍କୁ ନିଯୁକ୍ତି ଦେଇଥିଲେ। ସେହିବର୍ଷ ସେପ୍ଟେମ୍ବର ମାସରେ ଜେଡି(ୟୁ) ସାଂସଦ ଆରସିପି ସିଂହ ଦଳବଦଳ ଆଇନ ଅନୁଯାୟୀ ଶ୍ରୀ ଯାଦବ ଓ ଅଲ୍ଲୀ ଅନଓ୍ଵାରଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିସେମ୍ବର ୫ ସମ୍ବିଧାନର ୧୦ ପରିଚ୍ଛେଦରେ ଥିବା ପାରା ୨(୧, କ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ରାଜ୍ୟସଭା ଅଧ୍ୟକ୍ଷ ସେମାନଙ୍କ ସଦସ୍ୟ ପଦ ରଦ୍ଦ କରିଥିଲେ ।