ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ଷଷ୍ଠ ଦିନରେ ଗୃହ ଭିତରେ ତୀବ୍ର ହଙ୍ଗାମା ଦେଖାଦେଇଛି। କଟକର SCB Medical College and Hospital ରେ ଘଟିଥିବା ଅଗ୍ନିକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ସହିତ ବିରୋଧୀ ସଦସ୍ୟମାନେ ଏହି ମୁଦ୍ଦା ଉଠାଇ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଏହା ଫଳରେ ଗୃହ ଚଳାଇବା ଅସମ୍ଭବ ହୋଇପଡ଼ିଥିଲା।
ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ବାଚସ୍ପତି ପ୍ରଥମେ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। କିନ୍ତୁ ୧୨ଟା ପରେ ମଧ୍ୟ ହଟ୍ଟଗୋଳ କମିନଥିବାରୁ ବିଧାନସଭା ପୁଣିଥରେ ଚାଲିପାରିନଥିଲା। ଫଳସ୍ୱରୂପ, ବାଚସ୍ପତି ପୁନର୍ବାର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ।
ରାଜ୍ୟରେ SCB ଅଗ୍ନିକାଣ୍ଡ ମୁଦ୍ଦା ଏବେ ରାଜନୈତିକ ତାତିକୁ ବଢ଼ାଇଦେଇଛି। ବିରୋଧୀ ଦଳ ଏହାର ସଂପୂର୍ଣ୍ଣ ତଦନ୍ତ ଓ ଦାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।