ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ତାହା ହୋଇଛି । ଏସସିବି ମେଡ଼ିକାଲରେ ଲାଗିଥିବା ନିଆଁର ଧୂଆଁ ବିଧାନସଭାରେ ଉଠିଛି । ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ଦୁଇ ଦିନର ଛୁଟି ପରେ ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ଗୃହ କାର୍ଯ୍ୟ ସ୍ଥଗିତ ରହିଥିଲା । ଆଜି ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । କଂଗ୍ରେସ ଏସସିବି ଘଟଣାକୁ ନେଇ ମୁଲତବୀ ପ୍ରସ୍ତାବ ଆଗତ କରିଥିଲା । ବାଚସ୍ପତି ସୁରମା ପାଢ଼ୀ ପୋଡ଼ିୟମକୁ ଆସିବା କ୍ଷଣି ଉଭୟ ବିରୋଧୀ ଦଳର ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ । ଉଭୟ ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟମାନେ ଏସସିବି ଆଇ.ସି.ୟୁରେ ହୋଇଥିବା ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ହାତରେ ପୋଷ୍ଟର ବ୍ୟାନର ଧରି ଗୃହର ମଧ୍ୟ ଭାଗକୁ ଆସିଛି ନାରାବାଜି କରିଥିଲେ । ସେପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତର ରଖୁଥିଲେ । ବାଚସ୍ପତି ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ । ମାତ୍ର କେହି ନ ଶୁଣିବାରୁ ବାଚସ୍ପତି ବାଧ୍ୟ ହୋଇ ପ୍ରଶ୍ନକାଳକୁ ବାତିଲ କରି ମଧ୍ୟାହ୍ନ ୧୨ ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଫଳରେ ଉଭୟ ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ଧୋଇଯାଇଛି ।
ଉଲ୍ଲେଖ ଯୋଗ୍ୟ, ରବିବାର-ସୋମବାର ବିଳମ୍ବିତ ରାତିରେ କଟକ ଏସସିବି ମେଡ଼ିକାଲ ଟ୍ରମା କେୟାରର ଆଇ.ସି.ୟୁରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁଥିରେ ୧୦ ଜଣ ରୋଗୀଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା । ଏହା ସହିତ ଆହୁରି କର୍ମଚାରୀ ଏବଂ ରୋଗୀ ଏବେବି ଚିକିତ୍ସାଧୀନ ଅଛନ୍ତି । ସଠିକ୍ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ର କାମ କରିନଥିଲା ବୋଲି ବଡ଼ ଅଭିଯୋଗ ହୋଇଛି । ଫଳରେ ଏତେ ସଂଖ୍ୟକ ମୃତ୍ୟୁ ହୋଇଛି ବୋଲି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି ।