ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ ଏବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମ୍ନାକୁ ଆସିଛି ରୁଦ୍ର ରୂପ। ନିଜ ଦଳର ବିଧାୟକମାନେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେବା ଘଟଣାରେ ସେ ଚିହିଁକି ଉଠି କଡ଼ା ପ୍ରତିକ୍ରିୟା ରଖିଛନ୍ତି। କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କୁ ଘେରିବା ସହ ସେମାନଙ୍କ ପରିବାର ଓ ଅତୀତକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେଡି ସୁପ୍ରିମୋ।
ନବୀନ କହିଛନ୍ତି, ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି। ସେମାନଙ୍କର ବାପାମାନେ ଜେଲ୍ରେ ରହିଛନ୍ତି। ବିଜେପି ଘୋଡ଼ା ବେପାର କରୁଛି ବୋଲି ପୂର୍ବରୁ କହିଆସୁଥିଲି ନବୀନଙ୍କ ଏହି ବୟାନ ବିଶେଷ କରି ଦେବୀ ତ୍ରିପାଠୀ ଓ ସୌଭିକ ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ଥିବା ସ୍ପଷ୍ଟ ଜଣାପଡ଼ୁଛି।
ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେଡିର ଯେତିକି କ୍ଷତି ହୋଇ ନଥିଲା, ଏବେ ରାଜ୍ୟସଭା ନିର୍ବାଚନ ପରେ ବିଜେଡି ତା ଠାରୁ ଅଧିକ କ୍ଷତି ସହିବାକୁ ଯାଉଛି। ଜଣଙ୍କ ପରେ ଜଣେ ବିଜେଡି ବିଧାୟକ ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ୍ ଭୋଟିଂ କରିବାରେ ଲାଗିଛନ୍ତି ପାଖାପାଖି ୯ ଜଣ ବିଜେଡି ବିଧାୟକ କ୍ରସ୍ ଭୋଟିଂ କରିଥିବା ଅନୁମାନ କରାଯାଉଥିବା ବେଳେ ବାରବାଟୀ ବିଧାୟକ ସୌଭିକ ବିଶ୍ୱାଳ ଓ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବିଜେପି ସମର୍ଥିତ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିବା କଥା ଖୋଲା ଖୋଲି କହିଛନ୍ତି।
ଏସବୁ ଭିତରେ ଦେବୀ ତ୍ରିପାଠୀଙ୍କ ବାପା ତଥା ବିଜେଡିର ପୂର୍ବତନ ସାଂସଦ ପ୍ରଭାତ ତ୍ରିପାଠୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ପରେ ପାଲଟା ଜବାବ ଦେଇଛନ୍ତି। ନବୀନଙ୍କ ଅଭିଯୋଗକୁ ଖଣ୍ଡନ କରି ନିଜ ବିଧାୟକଙ୍କୁ ଏକାଠି ରଖିବାରେ ନବୀନ ବିଫଳ ବୋଲି ସେ କହିଛନ୍ତି। ନିଜ ଉପରୁ ଦୋଷ ଛଡ଼ାଇବା ପାଇଁ ନବୀନ ଏପରି କହୁଛନ୍ତି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ମୋତେ ବିଜେଡି ଅତୀତରେ ଅନେକ ହଇରାଣ କରିଛି। ମୋ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ କିଛି ହେବନି। ନବୀନ ବାବୁ ଆଉ ଦଳ ସମ୍ଭାଳିବାକୁ ଯୋଗ୍ୟ ନାହାନ୍ତି, ତେଣୁ ଜଣେ ଅଯୋଗ୍ୟ ନେତୃତ୍ୱଙ୍କ ଅଧିନରେ କାମ କରିବା ବଦଳରେ ଦେବୀ ଯଦି ବିଜେପିକୁ ଯାଏ ତେବେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ପ୍ରଭାତ ତ୍ରିପାଠୀ। ସେପଟେ ଦିଲ୍ଲୀପଙ୍କୁ ଭୋଟ ଦେଇ ଦେବୀ ପ୍ରମାଣ କରିଦେଇଛନ୍ତି ଯେ, ବିଜେପି ଠାରୁ ସେ ଆଉ ଅଧିକ ଦୂରତାରେ ନାହାଁନ୍ତି।