ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତିରେ ଏବେ ସରଗରମ ଥିବା ବେଳେ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ବୟାନ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ସେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଜେଡିକୁ ଟାର୍ଗେଟ୍ କରି କହିଛନ୍ତି ଯେ ଦଳ ଭିତରେ ଅସନ୍ତୋଷର ନିଆଁ ଜଳୁଛି ଓ ନେତୃତ୍ୱ ଉପରେ ଅନେକ ନେତାଙ୍କର ବିଶ୍ୱାସ ନାହିଁ।
ବିଜୟ ମହାପାତ୍ର କହିଛନ୍ତି ଯେ ଏହି ନିର୍ବାଚନ ପାଇଁ ପ୍ରାୟ ଦୁଇ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତାଙ୍କ ମତାନୁସାରେ ବିଜେଡି ଭିତରେ ଦୀର୍ଘଦିନ ଧରି ଅସନ୍ତୋଷ ରହିଥିଲା ଏବଂ ଏହି ନିର୍ବାଚନ ତାହାକୁ ସ୍ପଷ୍ଟ କରିଦେଇଛି। ସେ କହିଛନ୍ତି, “ଛଅ ମାସ ପୂର୍ବରୁ ମୁଁ କହିଥିଲି ଯେ ୨୦୨୬ ଓଡ଼ିଶା ରାଜନୀତି ପାଇଁ ଏକ ନିର୍ଣ୍ଣାୟକ ପର୍ବ ହେବ।”
ସେ ଆହୁରି କହିଛନ୍ତି ଯେ ଲୋକମାନଙ୍କ ମଧ୍ୟରେ ମଧ୍ୟ ଏକ ଆଶା ଥିଲା ଯେ ଦିଲ୍ଲୀପ ରାୟ ଜିତିବେ। ବିଭିନ୍ନ ଦଳର ନେତାମାନେ ମଧ୍ୟ ନିଜ ଅସନ୍ତୋଷକୁ ଏହି ନିର୍ବାଚନରେ ପରିପ୍ରକାଶ କରିଛନ୍ତି। ତେଣୁ ଏହି ଭୋଟିଂ ରାଜ୍ୟର ରାଜନୀତିକ ପରିସ୍ଥିତି ବିଷୟରେ ଏକ ବଡ଼ ସନ୍ଦେଶ ଦେଇଛି।
ବିଜୟ ମହାପାତ୍ର ବିଜେଡି ନେତୃତ୍ୱକୁ ଟାର୍ଗେଟ୍ କରି କହିଛନ୍ତି, “କାଚ ଘରେ ସ୍ୱପ୍ନ ଦେଖୁଥିବା ଲୋକମାନେ ପ୍ରଥମେ ନିଜ ଛବିକୁ ଆଇନାରେ ଦେଖିବା ଦରକାର।” ସେ କହିଛନ୍ତି ଯେ ଦଳ ଭିତରେ ଅସନ୍ତୋଷର ବହ୍ନି ଜଳୁଛି ଓ ଏହାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତର୍ଜମା କରିବା ଆବଶ୍ୟକ।
ସେ କହିଛନ୍ତି ଯେ ଦଳରେ ପରିବର୍ତ୍ତନ ଆଣିବା ପାଇଁ କୌଣସି ପ୍ରୟାସ ହେଉନାହିଁ ଏବଂ ଦଳପତିଙ୍କ ଉପରେ ଅନେକ ଦଳୀୟ ନେତା ବିଶ୍ୱାସ କରୁନାହାନ୍ତି। ଆଗକୁ ଏହା ବିଜେଡି ପାଇଁ ଅଧିକ କ୍ଷତିକାରକ ହୋଇପାରେ ବୋଲି ସେ ସତର୍କ କରିଛନ୍ତି।
ବିଜୟ ମହାପାତ୍ର ଓଡ଼ିଶାବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ନିର୍ବାଚନ ଏକ ସନ୍ଦେଶ ଦେଇଛି ଯେ ଆଗକୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବିଜୁ ପ୍ରେମୀମାନେ ମଧ୍ୟ ଆଗାମୀ ଦିନରେ ଏକାଠି ହୋଇପାରନ୍ତି ବୋଲି ସେ ଇଙ୍ଗିତ କରିଛନ୍ତି।
ରାଜ୍ୟସଭା ଭୋଟିଂ ପରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟ ମହାପାତ୍ରଙ୍କ ଘରକୁ ଯାଇଥିବା ଦେଖିବାକୁ ମିଳିଥିଲା। ସେଠାରେ ଦୁହେଁ ପରସ୍ପର କୋଳାକୋଳି କରିଥିଲେ ଓ ମିଠା ଖୁଆଖୁଇ ମଧ୍ୟ ହୋଇଥିଲା। ଦିଲ୍ଲୀପ ରାୟଙ୍କ ବିଜୟ ପ୍ରାୟ ସ୍ଥିର ହୋଇଯାଇଥିବାରୁ ବିଜୟ ମହାପାତ୍ର ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ଦିଲ୍ଲୀପ ରାୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସେ କହିଛନ୍ତି ଯେ ଅଧିକୃତ ଫଳାଫଳ ଘୋଷଣା ହେବା ପରେ ହିଁ ସେ ମିଡିଆ ସାମ୍ନାରେ ନିଜ ପ୍ରତିକ୍ରିୟା ରଖିବେ।
ସେପଟେ କ୍ରସ୍ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ କଠୋର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି ଓ ସେମାନଙ୍କର ପରିବାର ସଦସ୍ୟମାନେ ମଧ୍ୟ ଜେଲରେ ରହିଥିବା କଥା କହିଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ବିଜେପି ଘୋଡ଼ା ବେପାର କରୁଛି ବୋଲି ସେ ପୂର୍ବରୁ କହିଆସୁଥିଲେ। ଏହି ପରିସ୍ଥିତି ମଧ୍ୟରେ ରାଜ୍ୟସଭା ନିର୍ବାଚନ ଓ କ୍ରସ୍ ଭୋଟିଂକୁ ନେଇ ଓଡ଼ିଶା ରାଜନୀତି ଆହୁରି ତୀବ୍ର ହୋଇଯାଇଛି।
ଅଧିକ ପଢନ୍ତୁ: କ୍ରସ୍ ଭୋଟିଂ ପରେ ବର୍ଷିଲେ ନବୀନ; ଚିହିଁକି ଉଠି କହିଲେ ବିଜେପି କରିଛି ଘୋଡ଼ା ବେପାର