କଟକ: ଏସସିବି ମେଡ଼ିକାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟିମ୍ ଗଠନ ହୋଇଛି । ଦଳରେ ଅଗ୍ନିଶମ ଆଇଜି, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଇଆଇସି, ଗୃହ ନିର୍ମାଣର ମୁଖ୍ୟ ଯନ୍ତ୍ରୀ, ମେଡ଼ିକାଲ ଏଜୁକେଶନ ଏବଂ ଟ୍ରେନିଂ ନିର୍ଦ୍ଦେଶ ସାମିଲ ରହିଛନ୍ତି ।
ଏହି ଟିମ୍ ଅଗ୍ନିକାଣ୍ଡ କାରଣ ଖୋଜିବ । ଏସସିବି ମେଡ଼ିକାଲ ଗସ୍ତ କରି ସ୍ଥିତି ପରଖି ସନ୍ଧ୍ୟା ସୁଦ୍ଧା ମୁଖ୍ୟ ସଚିବକୁ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୫୦ ମିନିଟ୍ ସମୟରେ ଏସସିବିର ପ୍ରଥମ ମହଲାରେ ଥିବା ଆଇସିୟୁରେ ହଠାତ୍ ନିଆଁ ଲାଗିଥିଲା । କେହି କିଛି ଭାବିବା ପୂର୍ବରୁ ନିଆଁ ବ୍ୟାପି ଯାଇଥିଲା । ତୁରନ୍ତ ୩ଟି ଅଗ୍ନିଶମ ଗାଡ଼ି ପହଁଚି ନିଆଁକୁ ଆୟତ୍ତ କରିବାକୁ ନାକେଦମ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ୭ ଜଣ ରୋଗୀଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଅନ୍ୟ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତତସହିତ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେହିପରି ଆଇସିୟୁରେ ଡ୍ୟୁଟିରେ ଥିବା ୧୧ ଜଣ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ୮ ଜଣ ପ୍ରାଥମିକ ଚିକିତ୍ସା ପରେ ଫେରିଛନ୍ତି । ବୋଲି କଟକ ମେୟର ସୂଚନା ଦେଇଛନ୍ତି । ଆଇସିୟୁରେ ମୋଟ ୨୩ ଜଣ ରୋଗୀ ଚିକିତ୍ସାଧୀନ ଥିଲେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।