ଭୁବନେଶ୍ୱର: ଆଜିର ରାଜ୍ୟସଭା ନିର୍ବାଚନରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡ଼ିର ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅଣ କଂଗ୍ରେସ ଅର୍ଥାତ୍ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛନ୍ତି । ସେ ନିଜ ବିବେକ ଅନୁସାରେ ଭୋଟ୍ ଦେଇଥିବା ଗଣମାଧ୍ୟମକୁ ସ୍ପଷ୍ଟ ଭାବରେ କହିଛନ୍ତି ।
ରାଜ୍ୟସଭା ନିର୍ବାଚନରେ ଯାହା ଆଶା କରାଯାଉ ନଥିଲା ତାହା ହୋଇଛି । କଳ୍ପନାଠାରୁ ଅଧିକ ମାତ୍ରାରେ ହୋଇଛି କ୍ରସ୍ ଭୋଟିଂ । ନିଜ ଦଳର ନେତୃବୃନ୍ଦଙ୍କୁ ଅଣଦେଖା କରି କଂଗ୍ରେସ ସହ ହାତ ମିଳାଇବା ବିଜେଡ଼ି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦେବୀ ତ୍ରିପାଠୀ ମତଦାନ କରିବା ପରେ ଖୋଲାଖୋଲି ବର୍ଷିଛନ୍ତି । ସେ କହିଛନ୍ତି ଅଣ-କଂଗ୍ରେସ ଧାରାରେ ସୃଷ୍ଟି ହୋଇଥିବା ବିଜେଡ଼ିର ବିଚାରଧାରାକୁ ନେଇ ବିବେକ ଅନୁସାରେ ଭୋଟ୍ ଦେଇଛନ୍ତି । ସେ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିବା ଖୋଲାଖୋଲି ଭାବେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ।
ଦେବୀ କହିଛନ୍ତି ଯେ ଯେତେବେଳେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା ହେଲା ତାଙ୍କ ବାପା ପ୍ରଭାତ ତ୍ରିପାଠୀ ସେତେବେଳର ଜଣେ ପୀଡ଼ିତ । ଅଣ-କଂଗ୍ରେସ ଧାରାରେ ବିଜେଡ଼ି ଦଳ ଗଠନ ହୋଇଥିଲା ଏବଂ ସିଏ ମଧ୍ୟ ଏହି ବିଚାରଧାରା ଏବଂ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିଲେ । ଏହା ଏକ ଅସାଧୁ ମେଣ୍ଟ । ତାଙ୍କୁ ଜିତାଇଥିବା ଜନତା ଓ ଅଣ-କଂଗ୍ରେସ ନେତାଙ୍କ ସ୍ୱର ହୋଇ ସେ ମତ ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀପ ବିଜୁ ବାବୁଙ୍କ ଲିଗାସୀର ଜଣେ ସଦସ୍ୟ । ତେଣୁ ତାଙ୍କୁ ସେ ଭୋଟ୍ ଦେଇଛନ୍ତି ।
ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବର୍ଷିଛନ୍ତି । ଯେଉଁ ଦଳର ସଭାପତି ଦଳୀୟ ନେତାଙ୍କ କଥା ଶୁଣୁ ନାହାଁନ୍ତି, ଦଳୀୟ ନେତାଙ୍କ ସହିତ ଆଲୋଚନା କରୁ ନାହାଁନ୍ତି । ତେଣୁ ନେତାଙ୍କ ନିଦ ଭାଙ୍ଗିବାକୁ ସେ ଚେଷ୍ଟା କରିଛନ୍ତି । ବିଜୁ ଆଦର୍ଶକୁ ଆଗକୁ ନେବାକୁ ସେ ବିବେକାନୁ ମୋଦିତ ଭୋଟ୍ ଦେଇଛନ୍ତି ।
ସବୁଠାରୁ ବଡ଼ କଥା ହେଲା ଦେବୀ ବିଜେଡ଼ିର ସମସ୍ତ ବୈଠକରେ ଯୋଗ ଦେଇଥିଲେ । ତେଣୁ ତାଙ୍କ ଉପରେ ଦଳର ଆଶା ଥିଲା । ତାଙ୍କୁ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେବାକୁ କୁହାଯାଇଥିଲା । କିନ୍ତୁ ସେ ଶେଷ ମୁହୂର୍ତ୍ତରେ ଓଲଟା ଚାଲ୍ ଖେଳିଛନ୍ତି ।