ଭୁବନେଶ୍ୱର: ଆଜି ରାଜ୍ୟସଭା ସିଟ୍ ପାଇଁ ଭୋଟ୍ ଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭୋଟିଂରେ ସାମିଲ ହୋଇଛନ୍ତି ଅନେକ ବିଧାୟକ। ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ମଧ୍ୟ ଭୋଟ ଦେଇଛନ୍ତି। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଭୋଟ୍ ଦେଇ ବିଧାନସଭାରୁ ବାହାରି ଆସିଲା ବେଳେ ଗଣମାଧ୍ୟମ ସାମ୍ନାରେ ତାଙ୍କ କ୍ଷୋଭ ଝାଡ଼ିଛନ୍ତି। ସନାଙ୍କୁ ପଦେ କଥା ପଚାରୁ ପଚାରୁ ସେ ଅନର୍ଗଳ ଭାବେ ତାଙ୍କ କ୍ଷୋଭ ଝାଡ଼ି ଚାଲିଲେ।
ସନାଙ୍କୁ ସାମ୍ବାଦିକ ମାନେ ପଚାରିଲେ, ଆପଣ କହିଥିଲେ ୧୬ ତାରିଖ ଦିନ ଆପଣ ନିଜର ମତ ପ୍ରକାଶ କରିବେ। ଆପଣଙ୍କ ମତିଗତି କଣ ବୋଲି ପ୍ରଶ୍ନରେ ସନା କହିଲେ ମୁଁ ଭୋଟ୍ ଦେଇଦେଇଛି। ମୁଁ କାହାକୁ ଭୋଟ୍ ଦେଇଛି ଆପଣ ଫଳ ବାହାରିଲା ପରେ ଜାଣି ପାରିବେ।
ଭୋଟ ଦେବା ପରେ ସନା କହିଛନ୍ତି, ରାଜ୍ୟରେ ସ୍ୱାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ ଦେଇଛି। ସସ୍ପେଣ୍ଡ୍ ଲୋକକୁ ହୁଇପ ଜାରି କରିବାର କୌଣସି ନିୟମ ନାହିଁ। ବିଜେଡି ସସ୍ପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଲା। କାଲି ପର୍ଯ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି। ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି। କିଛି ଦିନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ସନାତନଙ୍କୁ ବିଜେଡିରୁ ବିଦା କରାଯାଇଥିଲା।
ସୂଚନାଯୋଗ୍ୟ, ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ(ମୁନା) ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। ଖାଲି ହେବାକୁ ଥିବା ଏହି ଆସନଗୁଡିକରେ ୪ ଜଣ ରାଜ୍ୟ ସଭାକୁ ଯିବେ। ଏଥିଲାଗି ୫ ଜଣ ପୁରୁଷ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ବିଜେପି ପକ୍ଷରୁ ସୁଜିତ କୁମାର ଏବଂ ମନମୋହନ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ବିଜେପି ସମର୍ଥନରେ ସ୍ୱାଧୀନ ଭାବେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍) ପକ୍ଷରୁ ମିଳିତ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍ ପ୍ରାର୍ଥୀ କରାଯାଇଛି। ଚତୁର୍ଥ ଆସନକୁ ନେଇ ଶାସକ ଓ ବିରୋଧୀଙ୍କ କସରତ ହେଉଛି।