ମୟୁରଭଞ୍ଜ: ମୟୁରଭଞ୍ଜରେ ତାଣ୍ଡବ ରଚିଲା କାଳବୈଶାଖୀ । ମାତ୍ର ୧୦ ମିନିଟ୍ ରେ ନେଇଗଲା ଲୋକଙ୍କ ଜୀବନ । ଲୋକଙ୍କୁ ଗାଡ଼ି ସହ ରାସ୍ତାରୁ ଉଡ଼ାଇ ନେଇ ପୋଖରୀରେ କଚାଡ଼ିଲା । ହଠାତ୍ ମାଡ଼ି ଆସି କରାଳ ରୂପ ଧାରଣ କଲା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ର ତିନୋଟି ଗାଁରେ କାଳବୈଶାଖୀ ତାଣ୍ଡବ ରଚିଛି । କିଆ, ପାଣପୋଷି, ମେଣ୍ଢାଶିଙ୍ଗା ଗାଁରେ କାଳବୈଶାଖୀ ପବନ ଓ କୁଆ ପଥର ମାଡ଼ରେ ଶହେରୁ ଅଧିକ ଘର ଭାଙ୍ଗିଛି। ଇଲେକ୍ଟ୍ରି ଖୁଣ୍ଟ, ଗଛ ଓପାଡି ପଡିଛି ।
ପ୍ରବଳ ପବନରେ କଙ୍କଡା ଗାଁରେ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ଅଟୋକୁ ଉଡାଇ ନେଇ ପୋଖରୀ ଭିତରେ ପକାଇ ଦେଇଥିବା ସୂଚନା ରହିଛି । ଏହା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ଉଧାର କାର୍ଯ୍ୟ ଜାରି ରଖିଛି ।