ଲସ୍ ଆଞ୍ଜେଲସର ଡଲବି ଥିଏଟରରେ ୯୮ତମ ଓସ୍କାର ଆୱାର୍ଡସର ଶୁଭାରମ୍ଭ ହୋଇଛି। ବିଜେତାମାନଙ୍କ ନା ଘୋଷଣା ସରିଛି। ଲିଓନାର୍ଡୋ ଡିକାପ୍ରିଓଙ୍କ ଫିଲ୍ମ 'ୱାନ୍ ବ୍ୟାଟଲ୍ ଆଫ୍ଟର ଆନାଦର' (One Battle After Another) ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି ଏବଂ ଏହା ସର୍ବାଧିକ ୬ଟି ପୁରସ୍କାର ହାସଲ କରିଛି। ଓସ୍କାର ବିଜେତାଙ୍କ ହାତରେ ଦେଖାଯାଉଥିବା ଟ୍ରଫିର ମଧ୍ୟ ଏକ ନିଜସ୍ୱ କାହାଣୀ ଅଛି। ଅଧିକାଂଶ ଲୋକ ଏହାକୁ ଓସ୍କାର ଟ୍ରଫି କହନ୍ତି, କିନ୍ତୁ ଏହା ଏହାର ପ୍ରକୃତ ନାମ ନୁହେଁ।
ଓସ୍କାରର ଅଫିସିଆଲ୍ ଟ୍ରଫିର ଆଧିକାରିକ ନାମ ହେଉଛି ‘ଏକାଡେମୀ ଆୱାର୍ଡ ଅଫ୍ ମେରିଟ୍’। ୧୩.୫ ଇଞ୍ଚର ଏହି ଟ୍ରଫିର ଓଜନ ପ୍ରାୟ ୩.୮ କିଲୋଗ୍ରାମ। ଏହି ବ୍ରୋଞ୍ଜ୍ ଟ୍ରଫିଟି ଗୋଲ୍ଡ ପ୍ଲେଟେଡ୍ ବା ସୁନା ପ୍ରଲେପିତ। ଓସ୍କାର ଟ୍ରଫିର ଇତିହାସରେ ଏମିତି ଏକ ସମୟ ମଧ୍ୟ ଆସିଥିଲା ଯେତେବେଳେ ଏହାକୁ ନିଲାମ ମାଧ୍ୟମରେ ବିକ୍ରି କରାଯାଇଥିଲା ଏବଂ ଏହାକୁ ମାଇକେଲ୍ ଜ୍ୟାକସନ୍ କିଣିଥିଲେ। ଏବେ ପ୍ରଶ୍ନ ଉଠୁଛି କି, କ’ଣ ଏବେ ମଧ୍ୟ ଟ୍ରଫି କିଣାଯାଇପାରିବ ଏବଂ କେବେ କେବେ ଏହା ବିକ୍ରି ହୋଇଥିଲା?
କେମିତି ମିଳିଲା ‘ଓସ୍କାର’ ନାମ?
ଆଧିକାରିକ ଭାବେ ଏହାର ନାମ ‘ଏକାଡେମୀ ଆୱାର୍ଡ ଅଫ୍ ମେରିଟ୍’ ରଖାଯାଇଥିଲା, କିନ୍ତୁ ଟ୍ରଫିଟି ‘ଓସ୍କାର’ ନାମରେ ଅଧିକ ଲୋକପ୍ରିୟ। ଏହି ନାମ ପଛରେ ଏକ ପ୍ରଚଳିତ କାହାଣୀ ଅଛି। ଓସ୍କାରର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ଟ୍ରଫିକୁ ପ୍ରଥମ ଥର ଦେଖି ଏକାଡେମୀର ଲାଇବ୍ରେରିଆନ୍ ମାର୍ଗରେଟ୍ ହେରିକ୍ କହିଥିଲେ ଯେ, ଏହା ଦେଖିବାକୁ ଠିକ୍ ତାଙ୍କ ଦାଦା ‘ଓସ୍କାର’ଙ୍କ ଭଳି।
ଏକାଡେମୀ ୧୯୩୯ ପର୍ଯ୍ୟନ୍ତ ଏହି ନାମକୁ ଆଧିକାରିକ ଭାବେ ଗ୍ରହଣ କରିନଥିଲା, କିନ୍ତୁ ୧୯୩୪ ବେଳକୁ ଏହି ନାମ ଏତେ ପ୍ରଚଳିତ ହୋଇସାରିଥିଲା ଯେ ହଲିଉଡ୍ ସ୍ତମ୍ଭକାର ସିଡନୀ ସ୍କୋଲସ୍କି, କ୍ୟାଥରିନ୍ ହେପବର୍ଣ୍ଣଙ୍କ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିବା ଉପରେ ଲେଖିଥିବା ଏକ ପ୍ରବନ୍ଧରେ ଏହି ନାମ ବ୍ୟବହାର କରିଥିଲେ। ସେଥିରେ ସେ ‘ଓସ୍କାର ଆୱାର୍ଡ’ ବିଷୟରେ ଉଲ୍ଲେଖ କରିଥିଲେ। ପରବର୍ତ୍ତୀ ସମୟରେ ଲାଇବ୍ରେରିଆନ୍ ମାର୍ଗରେଟ୍ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ହୋଇଥିଲେ। ଏହିପରି ଭାବେ ଏହା ଓସ୍କାର ଆୱାର୍ଡ ନାମରେ ଜଣାଶୁଣା ହେଲା।
ଟ୍ରଫି ବିକ୍ରି କରିହେବ କି?
ଏହି ବିଷୟରେ ଟ୍ରଫିକୁ ନେଇ କଡ଼ା ନିୟମ ରହିଛି। ‘ଏକାଡେମୀ ଅଫ୍ ମୋସନ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସେସ’ର ନିୟମ କୁହେ କି, ଯଦି କୌଣସି ବିଜେତା ନିଜର ଓସ୍କାର ବିକ୍ରି କରିବାକୁ ଚାହାଁନ୍ତି, ତେବେ ସେ ଏହାକୁ ସିଧାସଳଖ ନିଲାମ କରିପାରିବେ ନାହିଁ। ଏହାକୁ ବିକ୍ରି କରିବା ଉପରେ କଟକଣା ରହିଛି। ନିୟମ ଅନୁଯାୟୀ, ଯଦି ବିଜେତା ଏପରି କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ନିଜ ଟ୍ରଫି ଏକାଡେମୀକୁ ମାତ୍ର ୧ ଡଲାରରେ ଫେରସ୍ତ କରିବାକୁ ପଡ଼ିବ। ଏହି ନିୟମ ଏଥିପାଇଁ କରାଯାଇଛି ଯେପରି ଓସ୍କାର କେବଳ ସଫଳତାର ପ୍ରତୀକ ହୋଇ ରହିବ, ଲାଭ ପାଇଁ ବ୍ୟବସାୟ ହେଉଥିବା କୌଣସି ଜିନିଷ ନୁହେଁ। CNBC ରିପୋର୍ଟ ଅନୁଯାୟୀ, ଏହି ନିୟମ ୧୯୫୧ ମସିହାରେ ଲାଗୁ ହୋଇଥିଲା, ତେଣୁ ଏହା ପୂର୍ବରୁ ମିଳିଥିବା ଟ୍ରଫି ଉପରେ ଏହି ନିୟମ ଲାଗୁ ହେବ ନାହିଁ।
କିଏ ବିକିଥିଲେ ଓସ୍କାର ଟ୍ରଫି?
ଯେହେତୁ ୧୯୫୧ ପୂର୍ବରୁ ଦିଆଯାଇଥିବା ପୁରସ୍କାର ଉପରେ ଏହି ନିୟମ ଲାଗୁ ହୁଏ ନାହିଁ, ସେଥିପାଇଁ କିଛି ଟ୍ରଫି ବହୁତ ବଡ଼ ଦାମରେ ବିକ୍ରି ହୋଇଛି। ଉଦାହରଣ ସ୍ୱରୂପ, ମାଇକେଲ୍ ଜ୍ୟାକସନ୍ ‘ଗନ୍ ୱିଥ୍ ଦି ୱିଣ୍ଡ’ (୧୯୪୦) ଫିଲ୍ମ ପାଇଁ ମିଳିଥିବା ଶ୍ରେଷ୍ଠ ଚଳଚ୍ଚିତ୍ର ଅସ୍କାର ପୁରସ୍କାରକୁ ପ୍ରାୟ ୧୫ ଲକ୍ଷ ଡଲାରରେ କିଣିଥିଲେ। ଏହି ଓସ୍କାର ମୂଳତଃ ଫିଲ୍ମର ପ୍ରଯୋଜକ ଡେଭିଡ୍ ଓ. ସେଲଜନିକ୍ଙ୍କୁ ମିଳିଥିଲା। ସେହି ସମୟରେ ନିଲାମରେ ବିକ୍ରି ହୋଇଥିବା ଏହା ଇତିହାସର ସବୁଠାରୁ ମହଙ୍ଗା ଓସ୍କାର ଥିଲା।
CNBC ରିପୋର୍ଟ ଅନୁଯାୟୀ, ‘ସିଟିଜେନ କେନ’ (୧୯୪୨) ପାଇଁ ମିଳିଥିବା ପୁରସ୍କାର ପରବର୍ତ୍ତୀ ସମୟରେ ୮,୬୧,୫୪୨ ଡଲାରରେ ବିକ୍ରି ହୋଇଥିଲା। କେବଳ ଏତିକି ନୁହେଁ, ଆଉ କିଛି ପୁରୁଣା ଓସ୍କାର ମଧ୍ୟ ଅଲଗା ଅଲଗା ନିଲାମ ମାଧ୍ୟମରେ ବିକ୍ରି ହୋଇଛି। ୧୯୪୦ ଓ ୧୯୫୦ ଦଶକର କିଛି ବିଜେତାଙ୍କ ଟ୍ରଫି ବିକ୍ରି ହୋଇଥିଲା। କିଛି କଳାକାର କିମ୍ବା ସେମାନଙ୍କ ପରିବାର ପରେ ଏହାକୁ ନିଲାମ କରିଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ନିଲାମକୁ ରୋକିବା ପାଇଁ ନୂଆ ନିୟମ ଲାଗୁ କରାଗଲା।