ଗଞ୍ଜାମ: ହଳଦିଆପଦର ଦୁର୍ଘଟଣା ଘଟଣା ଏବେ ରାଜ୍ୟରୁ ଯାଇ କେନ୍ଦ୍ରରେ ପହଁଚିଛି । ହଳଦିଆପଦର ଓଭର୍ ବ୍ରିଜର ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଅକାଳରେ ୫ ଜଣଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ ହେଉଛି । କେବଳ ପୂର୍ବ ସରକାର କିଛି ରାଜନୈତିକ ବ୍ୟକ୍ତିଙ୍କ ନ୍ୟସ୍ତ ସ୍ୱାର୍ଥ ପାଇଁ ଓଭର୍ ବ୍ରିଜ୍ ନିର୍ମାଣ ଡିପିଆର୍ ବଦଳାଯାଇଛି ବୋଲି ସଙ୍ଗୀନ ଅଭିଯୋଗ ଆସିଛି । ଦିବ୍ୟଙ୍ଗତ ବିଜେଡ଼ି ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଜମିକୁ ବଞ୍ଚାଇବାକୁ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏହାର ଉତ୍ତର ରଖିଛନ୍ତି ସୂର୍ଯ୍ୟନାରାୟଣଙ୍କ ପୁଅ ବିପ୍ଳବ ପାତ୍ର । ଯେଉଁ ଜମିକୁ ନେଇ ଆରୋପ ଲାଗିଛି ତାହା କେବେଠାରୁ ବିକ୍ରି ସରିଛି ବୋଲି ସେ କହିଛନ୍ତି ।
ବିପ୍ଳବ ଏକ ଗଣମାଧ୍ୟମକୁ ସ୍ୱତନ୍ତ୍ରଭାବେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯେଉଁ ଜମିକୁ ନେଇ ବିବାଦ ସୃଷ୍ଟି ହୋଇଛି ଉକ୍ତ ଜମିକୁ ବହୁ ବର୍ଷ ଆଗରୁ ବିକ୍ରି କରାଯାଇଛି । ୨୦୦୬-୦୭ ମସିହାରେ ଜମି ବିକ୍ରିବେଳେ ଓଭର୍ ବ୍ରିଜ୍ ନିର୍ମାଣ ପାଇଁ ପ୍ରସ୍ତାବ ଆସିନଥିଲା । ଏମିତିକି ସାଗ ମାଛ ଦରରେ ୫ ଏକର ଜମି ବିକ୍ରି କରାଯାଇଛି । ଯଦି ସେହି ଜମି ଥାଆନ୍ତା ତାହା ହେଲେ ବର୍ତ୍ତମାନ ଲାଭାବାନ ହୋଇଥାଆନ୍ତୁ ବୋଲି ବିପ୍ଳବ୍ କହିଛନ୍ତି । ଯଦି ବ୍ରିଜ୍ ଡିଜାଇନ୍ ଭୁଲ ଥିଲା ପ୍ରଶାସନ କାହିଁକି ଅନୁମତି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ନିର୍ମାଣ ଭୁଲ କରାଯାଇଛି ତାହା ହେଲେ କାହିଁକି ବିହିତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ହଳଦିପଦର ବ୍ରିଜ୍ ଦୁର୍ଘଟଣାକୁ ନେଇ ସୁପ୍ରିମକୋର୍ଟ ସଡ଼କ ନିରାପତ୍ତା କମିଟି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । କାହିଁକି ଦୁର୍ଘଟଣା ହେଲା ଏବଂ ଆଗାମୀ ଦିନରେ ଦୁର୍ଘଟଣା ଏଡ଼ାଇବାକୁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ଜବାବ ତଲବ କରିଛି କମିଟି ।