ନୂଆଦିଲ୍ଲୀ: ନୀରଜ ପାଣ୍ଡେଙ୍କର ମୁକ୍ତିଲାଭ କରିବାକୁ ଥିବା ସିନେମା ‘ଘୁସଖୋର ପଣ୍ଡତ’କୁ ବିବାଦର ଅନ୍ତ ଘଟିଛି । ଫିଲ୍ମ ନିର୍ମାତା ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ସହମତି ପ୍ରକାଶ କରିଛି । ସୁପ୍ରିମକୋର୍ଟ ଫିଲ୍ମ ବିରୁଦ୍ଧରେ ଆସିଥିବା ସମସ୍ତ ଆବେଦନକୁ ବନ୍ଦ କରିଛନ୍ତି । ଫଳରେ ଫିଲ୍ମ ରିଲିଜକୁ ନେଇ ଖୁବ ଶୀଘ୍ର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।
ବ୍ରାହ୍ମଣ ସମାଜକୁ ଅପମାନ ଦେବା ଦିଆଯାଇଥିବା ଘୁସଖୋର ପଣ୍ଡତର ନାମକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । ନିର୍ମାତା ନାମ ପରିବର୍ତ୍ତନ ପାଇଁ ସହମତି ପ୍ରକାଶ କରିବା ପରେ ସୁପ୍ରିମକୋର୍ଟ ଖୁସି ବ୍ୟକ୍ତ କରିଛନ୍ତି । ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ଏନ୍ କେ କୌଲ ନାମ ପ୍ରତ୍ୟାହାର ନିଆଯାଇଥିବାର ସତ୍ୟପାଠ ଦାଖଲ କରିଥିଲେ । ନିର୍ମାତା କହିଛନ୍ତି କୌଣସି ସମାଜକୁ ଅପମାନିତ କରିବା ତାଙ୍କର କୌଣସି ଉଦ୍ଦେଶ୍ୟ ନ ଥିଲା । ପଣ୍ଡତ ଶବ୍ଦ ଫିଲ୍ମରେ ଥିବା ମୁଖ୍ୟ ଚରିତ୍ରର ସାଙ୍ଗିଆ ନାମ ଥିଲା । ଯେଉଁଥିରୁ ଏହାକୁ ଘୁସଖୋର ପଣ୍ଡତ ବୋଲି ରଖାଯାଇଥିଲା । ଯେଉଁଥିରେ ଜଣେ ଖରାପ ପୋଲିସ ଅଫିସର ସମୟ କ୍ରମେ ଭଲ ଅଫିସର ହେଉଛନ୍ତି । ତାହା ଏହାର କାହାଣୀ ଅଛି ବୋଲି ଓକିଲ କହିଛନ୍ତି ।
ତେବେ ବିଚାରପତି ନାଗରତ୍ନା କହିଥିଲେ ଯେ ପଣ୍ଡିତ ଏବଂ ପାଣ୍ଡିତ୍ୟ ଶବ୍ଦର ଅର୍ଥକୁ ବୁଝୁଛୁ । କିନ୍ତୁ ଏଥିରେ ଘୁସଖୋର (ଲାଞ୍ଚ ଖିଆ) ଯୋଡ଼ିବା ଦ୍ୱାରା ଭ୍ରମାତ୍ମକ ବାର୍ତ୍ତା ଯାଉଛି ।
ନୀରଜ ପାଣ୍ଡେଙ୍କ ପ୍ରଯୋଜନାରେ ନିର୍ମିତ ଘୁଷଖୋର ପଣ୍ଡତର ଶୀର୍ଷକକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏଥିରେ ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ଥିବା ବେଳେ ରିତେଶ ଶାହା ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି । ଫେବୃଆରୀ ୩ ତାରିଖରେ ଟିଜର୍ ପ୍ରକାଶ ପାଇଥିଲା । ପରଦିନ ନେଟଫ୍ଲିକ୍ସ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାୟର କରାଯାଇଥିଲା । ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଏହାର ଶୀର୍ଷକ ବ୍ରାହ୍ମଣ ସମ୍ପ୍ରଦାୟ ପ୍ରତି ଅପମାନଜନକ । କିଛି ଦିନ ପରେ, ନିର୍ଦ୍ଦେଶକ ନୀରଜ ପାଣ୍ଡେ ଏବଂ ମୁଖ୍ୟ କଳାକାର ମନୋଜ ବାଜପେୟୀ ସାର୍ବଜନୀନ ପୋଷ୍ଟ ସେୟାର କରି ସ୍ପଷ୍ଟ କରିଥିଲେ ଯେ ଚଳଚ୍ଚିତ୍ରଟି କୌଣସି ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରେ ନାହିଁ ଏବଂ ଏହା ଏକ "କାଳ୍ପନିକ କାର୍ଯ୍ୟ"। ଉତ୍ତର ପ୍ରଦେଶ ସରକାର ମଧ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଲକ୍ଷ୍ନୌର ହଜ୍ରାତଗଞ୍ଜ ଥାନାରେ ଏତଲା ଦିଆଯାଇଥିଲା ।