ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ହାସ୍ୟ କଳାକାର ରାଜପାଲ ଯାଦବ ଦିଲ୍ଲୀର ତିହାଡ଼ ଜେଲରୁ ମୁକୁଳିଛନ୍ତି । ୧୨ ଦିନ ରହିବା ପରେ ଜେଲରୁ ବାହାରିଛନ୍ତି ରାଜପାଲ ଯାଦବ । ମଙ୍ଗଳବାର ରାଜପାଲ ଜେଲରୁ ବାହାରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରାଜପାଲ ଯାଦବ ଜେଲରୁ ମୁକୁଳିବା ପରେ ପ୍ରଥମ ଥର ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଦେଶର ସମସ୍ତ ବର୍ଗର ଜନତାକୁ ନିଜର ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ୨୦୨୭ରେ ମୁମ୍ବାଇରେ ତାଙ୍କୁ ୩୦ ବର୍ଷ ହୋଇଯିବ । ଏହି ସମୟରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ୟ୍ୟନ୍ତ ତାଙ୍କୁ ଜାଣିଛନ୍ତି । ସେମାନଙ୍କ ଆଶୀର୍ବାଦରୁ ସେ ୨୦୦ରୁ ୨୫୦ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । କିନ୍ତୁ ତାଙ୍କ ସହିତ ଯେଉଁ ମାମଲା ଯୋଡ଼ି ହୋଇଛି ତାହା ୨୦୧୨-୧୩ରୁ ଆରମ୍ଭ ହୋଇଛି । ହାଇକୋର୍ଟ ଯେତେବେଳେ ଯାହା ଆଦେଶ ଦେଇଛନ୍ତି ସେ ପାଳନ କରିଛନ୍ତି । ଆଗାମୀ ଦିନରେ ମଧ୍ୟ କୋର୍ଟ ଯାହା ଆଦେଶ ଦେବେ ତାହା ପାଳନ କରିବେ ।
ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା । ୨୦୧୦ରେ ରାଜପାଲ ଯାଦବଙ୍କ ନିର୍ଦ୍ଦେଶିତ ଫିଲ୍ ‘ଅତା ପତା ଲାପତା’ ପାଇଁ ମୂରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଠାରୁ ୫ କୋଟି ଟଙ୍କା ଋଣ ଆଣିଥିଲେ । କିନ୍ତୁ ଫିଲ୍ମଟି ଭଲ ଚାଲିନଥିବାରୁ ନିର୍ମାତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା । ଫଳରେ ରାଜପାଲଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆକାଉଣ୍ଟରେ ଟଙ୍କା ନ ଥିବାରୁ ଚେକ୍ ବାଉନ୍ସ ହୋଇଥିଲା । ଯେଉଁଥିପାଇଁ ଉକ୍ତ କମ୍ପାନୀ ରାଜପାଲଙ୍କ ନାମରେ ଏତଲା ଦେଇଥିଲେ ।
୨୦୧୮ ଏପ୍ରିଲରେ ମାଜିଷ୍ଟ୍ରେଟ୍ କୋର୍ଟ ରାଜପାଲ ଯାଦବ ଏବଂ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଶୁଣାଣି କରି ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହା ପରେ ରାଜପାଲ ଏହାକୁ ନେଇ ଅନେକ ଆବେଦନ କରିବା ପରେ ତାଙ୍କୁ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଋଣ ଟଙ୍କା ବଢ଼ି ବଢ଼ି ୯ କୋଟିରେ ପହଁଚିଥିଲା । ବାରମ୍ବାର ଚେକ୍ ବାଉନ୍ସ ହେବା ପରେ ଦିଲ୍ଲୀ ହାଇକୋର୍ଟ ରାଜପାଲଙ୍କୁ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଗତକାଲି ତାଙ୍କୁ ଜାମିନ ମିଳିଥିଲା । ତିହାର ଜେଲ୍ରେ ୧୧ ଦିନ ବିତାଇବା ପରେ ଆଜି ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ତାଙ୍କୁ ଜାମିନ୍ ମିଳିଛି। ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। ଅନ୍ତରୀଣ ଜାମିନ ପାଇଁ ଫେବ୍ରୁଆରୀ ୧୬ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରତିପକ୍ଷଙ୍କ ନାମରେ ୧.୫ କୋଟି ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜପାଲ ଯାଦବ ଏହାକୁ ସମୟ ଅନୁସାରେ ଦାଖଲ କରିଥିଲେ, ଫଳରେ ସେ କୋର୍ଟରୁ ମୁକ୍ତ ହୋଇଥିଲେ । ମାର୍ଚ୍ଚ ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ରାଜପାଲ ଯାଦବଙ୍କ ଦ୍ୱାରା ୭.୫ କୋଟି ଜମା କରାଯାଇଥିବାବେଳେ, ବାକି ୧.୫ କୋଟି ଜମା କରିବାକୁ ବାକି ଅଛି ।