ସେପଟେ ଜଣେ ବିଜୟ ନୂତନ ବୈବାହିକ ସମ୍ପର୍କରେ ବାନ୍ଧି ହୋଇଥିବାବେଳେ ଆଉ ବିଜୟଙ୍କ ସମ୍ପର୍କରେ ଝଡ଼ ଆସିଛି । ଦୀର୍ଘ ୨୭ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ତାମିଲ ଅଭିନେତା ତଥା ଟିଭିକେ ଦଳର ମୁଖ୍ୟ ଥଲପତି ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ୍ ଛାଡ଼ପତ୍ର ପାଇଁ ପାରିବାରିକ ଅଦାଲତରେ ଆବେଦନ କରିଛନ୍ତି । ସଙ୍ଗୀତା ଚେନଗଲାପଟ୍ଟୁ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ବିଜୟଙ୍କ ବିରୁଦ୍ଧରେ ପତ୍ନୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ବିଜୟଙ୍କ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ପରକୀୟା ପ୍ରୀତି ଥିବା ପତ୍ନୀ ଅଭିଯୋଗ କରିଛନ୍ତି । ଏହି ଖବର ରାଜ୍ୟ ରାଜନୀତି ସହିତ ଫିଲ୍ମ ଦୁନିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏ ଯାଏ ଉଭୟଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଏପ୍ରିଲ ୨୦ରେ ଆଗାମୀ ଶୁଣାଣି ହେବ ।
୨୦୧୪ ମସିହାରେ ବିଜୟ ତାଙ୍କର ରାଜନୈତିକ ଦଳ, ତାମିଲଗା ଭେଟ୍ଟ୍ରି କାଜାମ (ଟିଭିକେ) ଆରମ୍ଭ କରିଥିଲେ । ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବିଜୟ ଅଭିନୟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। ସେ ଘୋଷଣା କରିଥିଲେ ଯେ ସେ ଅଭିନୟରୁ ଅବସର ନେଉଛନ୍ତି ଏବଂ ଜଣେ ରାଜନେତା ଭାବରେ ଜନସାଧାରଣଙ୍କ ସେବା କରିବାକୁ ଚାହାଁନ୍ତି । ସେ ତାଙ୍କ ଚଳଚ୍ଚିତ୍ର "ଜନ ନାୟାଗନ"ର ଅଡିଓ ଲଞ୍ଚରେ ପ୍ରଶଂସକମାନଙ୍କ ସହ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସେୟାର କରିଥିଲେ।
୧୯୯୯ ମସିହା ଅଗଷ୍ଟ ୨୫ ତାରିଖରେ ବିଜୟ ଏବଂ ସଙ୍ଗୀତା ବୈବାହିକ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । ପୁଅ ସଞ୍ଜୟ ଏବଂ ଝିଅ ଦିବ୍ୟା ।