ଭୁବନେଶ୍ୱର: ସମସ୍ତ ସମ୍ଭାବନାକୁ ଅତିକ୍ରମ କରିଯାଇଛି ଆଜିର ରାଜ୍ୟସଭା ନିର୍ବାଚନ ମତଦାନ । କଳ୍ପନାଠାରୁ ଅଧିକ ମାତ୍ରାରେ କ୍ରସ୍ ଭୋଟିଂ ହୋଇଛି । ବିଜେଡ଼ି ଓ କଂଗ୍ରେସ ଉଭୟ ଦଳର ଅସନ୍ତୁଷ୍ଟ ନେତା ବିଜେପି ସପକ୍ଷରେ ମତ ସାବ୍ୟସ୍ତ କରିଛନ୍ତି । ମୋଟ ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ତେବେ ତିନି ବିଧାୟକ ସୋଫିଆ ଫିର୍ଦ୍ଦୋସ, ସୌଭିକ ବିଶ୍ୱାଳ ଏବଂ ଦେବୀ ରଞ୍ଜନ ତ୍ରିପାଠୀ ନିଜ ବାପାଙ୍କ ଅପମାନର ପ୍ରତିଶୋଧ ନେଇଥିବା କୁହାଯାଉଛି । ସୋଫିଆ ଏବଂ ଦେବୀ ରଞ୍ଜନ ଖୋଲା ଖୋଲି କହିନଥିବାବେଳେ ସୌଭିକ ସ୍ପଷ୍ଟତାର ସହିତ କହିଛନ୍ତି ଯେ ସେ ବାପାଙ୍କ ଅନ୍ୟାୟର ପ୍ରତିଶୋଧ ନେଇଛନ୍ତି ।
ଆଜି ନିର୍ବାଚନ ବେଳେ ମୋଟ ୧୧ ଜଣ ବିଧାୟକ- କଂଗ୍ରେସରୁ ୩, ବିଜେଡ଼ିରୁ ୬ ଏବଂ ୨ ନିଲମ୍ବିତ ସଦସ୍ୟ କ୍ରସ୍ ଭୋଟିଂ କରିଥିବା ଜଣାପଡ଼ିଛି । କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋସଙ୍କ ନାମକୁ ଖୋଦ ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି । ସେହିପରି ବିଜେଡ଼ିର ଚକ୍ରମଣି କହଁର, ସୌଭିକ ବିଶ୍ବାଳ, ନବ କିଶୋର ମଲ୍ଲିକ, ସୁବାସିନୀ ଜେନା, ଦେବୀ ରଂଜନ ତ୍ରିପାଠୀ, ରମାକାନ୍ତ ଭୋଇ, ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର କ୍ରସ ଭୋଟିଂ କରିଥିବା ସନ୍ଦେହ କରାଯାଉଛି ।
ନିକଟରେ କଂଗ୍ରେସ ପୂର୍ବତନ କଟକ ବାରବାଟୀ ବିଧାୟକ ତଥା ସୋଫିଆଙ୍କ ବାପା ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କୃତ ହୋଇଥିଲେ । ଯେଉଁଥିପାଇଁ ସୋଫିଆଙ୍କୁ କୌଣସି ବୈଠକରେ ଦଳ ସାମିଲ କରୁନଥିବା ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ସୋଫିଆ ଅସନ୍ତୋଷ ଝାଡ଼ିଥିଲେ । ସେହିପରି ଦେବୀ ରଞ୍ଜନ ତ୍ରିପାଠୀଙ୍କ ବାପା ପ୍ରଭାତ ତ୍ରିପାଠୀଙ୍କୁ ଗତବର୍ଷ ବିଜେଡ଼ି ସୁପ୍ରିମୋ ବହିଷ୍କୃତ କରିଥିଲେ । ଯେଉଁଥିପାଇଁ ଏହି ଦୁଇ ଜଣ କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି । ତେବେ ଉଭୟ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।
କିନ୍ତୁ ସୌଭିକ ବିଶ୍ୱାଳ ନିର୍ଭିକ ଭାବରେ ବାପାଙ୍କ ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା କହିଛନ୍ତି । ତାଙ୍କ ପାଇଁ ପିତା ଧର୍ମ, ସ୍ୱର୍ଗ ଓ ପରମତପ । ବିଜୁ ବାବୁଙ୍କ ଆଶୀର୍ବାଦ ଯାହା ଉପରେ ରହିଛି ତାଙ୍କୁ ସେ ଭୋଟ୍ ଦେଇଛନ୍ତି । ପ୍ରଭାତ ବିଶ୍ୱାଳ ଅତୀତରେ ଅନ୍ୟାୟ ସହିଛନ୍ତି । ବାପାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେଇଛନ୍ତି । ନିକଟରେ ବିଜେଡ଼ି ପ୍ରାର୍ଥୀ ଚୟନ ବୈଠକରେ ପ୍ରଭାତ ଯୋଗ ଦେଇଥିଲେ । ସେଠାରେ ସେ ପ୍ରାର୍ଥୀକୁ ବିରୋଧ କରିବାରୁ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ଏବଂ ଦଳରୁ ବହିଷ୍କୃତ କରାଯାଇଥିଲା ।
ସେହିପରି ନିର୍ବାଚନ ପୂର୍ବରୁ ଅରବିନ୍ଦ ମହାପାତ୍ର ବାପା ବିଜୟ ମହାପାତ୍ରଙ୍କ ସହିତ ମେଫେୟାର ହୋଟେଲରେ ଆୟୋଜିତ ବିଜେପି ବୈଠକରେ ଯୋଗ ଦେଇଥିଲେ । ଏହା ପରେ ବିଜୟ ମହାପାତ୍ର କହିଥିଲେ ଦିଲ୍ଲୀପ ରାୟ ଜିତିବେ । ଏମିତିରେ ମଧ୍ୟ ଦିଲ୍ଲୀପ ଏବଂ ବିଜୟଙ୍କ ଅତି ଘନିଷ୍ଠ ସମ୍ପର୍କ ରହିଛି । ତାଙ୍କ ସହିତ ପିଲାବେଳୁ ସେ ମିଶିଥିବା ମଧ୍ୟ ଅତୀତରେ କହିଛନ୍ତି । ଏହା ସହିତ ସେ ମଧ୍ୟ ବିଜେଡ଼ିରୁ ନିଲମ୍ବିତ ହୋଇଛନ୍ତି । ତେଣୁ ସେ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିବା ସେ କହିଛନ୍ତି ।