ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇରାନ-ଇସ୍ରାଏଲ ଯୁଦ୍ଧ ପାଇଁ ଭାରତୀୟ ଦୂତାବାସ ପୁଣି ଥରେ ତାର ନାଗରିକଙ୍କୁ ସତର୍କ କରାଇ ଦେଇଛନ୍ତି । ଇରାନ ସୀମା ପର ନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି ଭାରତୀୟ ଦୂତାବାସ ।
ଭାରତୀୟ ଦୂତାବାସ କହିଛି ଯେ କୌଣସି ଭାରତୀୟ ନାଗରିକ ତେହେରାନରେ ଥିବା ଭାରତୀୟ ଦୂତାବାସ ସହିତ ପରାମର୍ଶ ନକରି ଇରାନର କୌଣସି ସ୍ଥଳ ସୀମା ପାର କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ । ଭାରତୀୟ ଦୂତାବାସ ନିଜ ଲୋକଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଛି ଏବଂ ଆବଶ୍ୟକ ସ୍ଥଳେ ସହାୟତାର ବ୍ୟବସ୍ଥା କରାଯାଉଛି। ପୂର୍ବ ସୂଚନା କିମ୍ବା ସମନ୍ୱୟ ବିନା ସୀମା ପାର କରିବା ବିପଜ୍ଜନକ ପ୍ରମାଣିତ ହୋଇପାରେ।
ଦୂତାବାସକୁ ସୂଚନା ନ ଦେଇ ସ୍ଥଳପଥ ଦେଇ ଇରାନ ଛାଡିବାକୁ ଚାହୁଁଥିବା ଲୋକମାନେ ବାସସ୍ଥାନ, ଖାଦ୍ୟପେୟ ଏବଂ ପ୍ରବାସ ପ୍ରକ୍ରିୟା ସମ୍ପର୍କରେ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଇରାନ ଅଞ୍ଚଳ ଛାଡିବା ପରେ ଦୂତାବାସ ସହାୟତା ଯୋଗାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବରେ କୁହାଯାଇଛି ।
ବର୍ତ୍ତମାନ ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ କେବଳ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ସରକାରୀ ସୂଚନା ଉପରେ ନିର୍ଭର କରନ୍ତୁ ଏବଂ ଯେକୌଣସି ଯାତ୍ରା ଆରମ୍ଭ କରିବା ପୂର୍ବରୁ ଦୂତାବାସ ସହିତ ଯୋଗାଯୋଗ କରନ୍ତୁ। କୌଣସି ଜରୁରୀକାଳୀନ ପରିସ୍ଥିତିରେ ଦୂତାବାସ ଦ୍ୱାରା ଜାରି ହେଲ୍ପଲାଇନ୍ ନମ୍ବରଗୁଡ଼ିକ ଯଥା- +୯୮ ୯୧୨ ୮୧୦ ୯୧୧୫, +୯୮ ୯୧୨ ୮୧୦ ୯୧୦୨, +୯୮ ୯୧୨ ୮୧୦ ୯୧୦୯ ଓ +୯୮ ୯୯୩ ୨୧୭ ୯୩୫୯ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଇମେଲ୍ ଆଇଡି cons.tehran@mea.gov.inରେ ଯୋଗ କରିବାକୁ କୁହାଯାଇଛି ।
ସରକାରୀ ରିପୋର୍ଟ ଅନୁସାରେ ଇରାନରେ ସଙ୍କଟ ଆରମ୍ଭ ହେବା ପରଠାରୁ ୨୦,୦୦୦ ଭାରତୀୟ ନାଗରିକ ପୂର୍ବରୁ ଉପସାଗରୀୟ ଅଞ୍ଚଳରୁ ଭାରତ ଫେରି ଆସିଛନ୍ତି। ସେହିପରି ଇରାନରେ ରହୁଥିବା ୫୫୦ରୁ ଅଧିକ ଭାରତୀୟ ନାଗରିକ ସ୍ଥଳ ସୀମା ଦେଇ ଆର୍ମେନିଆରେ ପହଞ୍ଚିଛନ୍ତି। ପ୍ରାୟ ୯୦ ଜଣ ଭାରତୀୟ ନାଗରିକ ସ୍ଥଳ ମାର୍ଗ ଦେଇ ଇରାନରୁ ଆଜରବୈଜାନ ପହଞ୍ଚିଛନ୍ତି।