ପାଟଣା: ବିହାର ରାଜ୍ୟସଭା ନିର୍ବାଚନରେ ଏକ ବଡ଼ ଧରଣର ରାଜନୈତିକ ସମୀକରଣ ଦେଖିବାକୁ ମିଳିଛି। ଏନଡିଏ ୫-୦ ରେ ଏହି ବିଜୟ ହାସଲ କରିଛି। ରାଜ୍ୟସଭା ନିର୍ବାଚନରେ ପଞ୍ଚମ ସିଟ୍ ଜିତିବା ପାଇଁ ଏନଡିଏକୁ ମାତ୍ର ୩ ଜଣ ବିଧାୟକଙ୍କ ସମର୍ଥନ ଦରକାର ଥିଲା। ଏହି ସମୟରେ ମହାଗଠବନ୍ଧନର ୪ ଜଣ ବିଧାୟକ ମତଦାନରେ ଅନୁପସ୍ଥିତ ରହିଥିଲେ।
ଅନ୍ୟପଟେ, ମହାଗଠବନ୍ଧନକୁ ଜିତିବା ପାଇଁ ୬ ଜଣ ବିଧାୟକଙ୍କ ଆବଶ୍ୟକତା ଥିଲା। ତେଜସ୍ୱୀ ଯାଦବ AIMIM ର ୫ ଜଣ ଏବଂ BSP ର ଜଣେ ବିଧାୟକଙ୍କ ଜରିଆରେ ଏହାର ବ୍ୟବସ୍ଥା ମଧ୍ୟ କରିଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ଆରଜେଡିର ଜଣେ ଏବଂ କଂଗ୍ରେସର ୩ ଜଣ ବିଧାୟକ ଗାଏବ ହୋଇଯାଇଥିଲେ। ଏହି ଚାରିଜଣ ବିଧାୟକ ଭୋଟ୍ ନଦେବା କାରଣରୁ ରାଜ୍ୟସଭା ନିର୍ବାଚନର ଫଳାଫଳ NDA ସପକ୍ଷରେ ଯାଇଛି। ଫଳରେ ପଞ୍ଚମ ସିଟ୍ ମଧ୍ୟ NDA ଖାତାକୁ ଚାଲିଯାଇଛି। ଭୋଟ୍ ଦେବାକୁ ଆସିନଥିବା ବିଧାୟକମାନଙ୍କ ମଧ୍ୟରେ କଂଗ୍ରେସର ସୁରେନ୍ଦ୍ର କୁଶୱାହା, ମନୋଜ ବିଶ୍ୱାସ, ମନୋହର ସିଂହ ଏବଂ RJD ର ଫୈଜଲ ରହମାନ ସାମିଲ ଅଛନ୍ତି।
ନୀତିଶ କୁମାରଙ୍କୁ ମିଳିଲା ପ୍ରଥମ ପସନ୍ଦର ୪୪ ଭୋଟ୍
RJD ନେତାମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ବିଧାୟକମାନଙ୍କୁ କିଣାଯାଇଛି କିମ୍ବା ଅପହରଣ କରାଯାଇଛି। ଏହି ନିର୍ବାଚନରେ ନୀତିଶ କୁମାରଙ୍କୁ ପ୍ରଥମ ପସନ୍ଦର ୪୪ଟି ଭୋଟ୍ ମିଳିଛି। ସେହିପରି ନିତିନ ନବୀନଙ୍କୁ ୪୪, ଉପେନ୍ଦ୍ର କୁଶୱାହାଙ୍କୁ ୪୨ ଏବଂ ରାମନାଥ ଠାକୁରଙ୍କୁ ମଧ୍ୟ ୪୨ଟି ଭୋଟ୍ ମିଳିଛି। ଅନ୍ୟପଟେ ମହାଗଠବନ୍ଧନ ପ୍ରାର୍ଥୀ ଏଡି ସିଂହଙ୍କୁ ମାତ୍ର ୩୭ଟି ଭୋଟ୍ ମିଳିଛି।
ଏନଡିଏର ରଣନୈତିକ ବିଜୟ
ଜେଡିୟୁର ବରିଷ୍ଠ ନେତା ତଥା ମନ୍ତ୍ରୀ ଶ୍ରବଣ କୁମାର ଦାବି କରିଛନ୍ତି ଯେ NDA ର ସମସ୍ତ ୨୦୨ ଜଣ ବିଧାୟକ ଭୋଟ୍ ଦେଇଛନ୍ତି। ସେ କହିଛନ୍ତି, "ଆମର ମେଣ୍ଟ ସମ୍ପୂର୍ଣ୍ଣ ଶକ୍ତି ଓ ଏକତା ସହ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ଆମେ ନିଜର ରଣନୈତିକ ଦକ୍ଷତା ପ୍ରମାଣିତ କରିଛୁ।"
ନିର୍ବାଚନ ମଧ୍ୟରେ ଅନନ୍ତ ସିଂହଙ୍କ ବଡ଼ ଘୋଷଣା
ଏହି ନିର୍ବାଚନ ମଧ୍ୟରେ ମୋକାମା ବିଧାୟକ ଅନନ୍ତ ସିଂହ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, "ଯଦି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରହିବେ ନାହିଁ, ତେବେ ମୁଁ ପରବର୍ତ୍ତୀ ନିର୍ବାଚନ ଲଢ଼ିବି ନାହିଁ। ମୋ ପିଲାମାନେ ନିର୍ବାଚନ ଲଢ଼ିବେ।" ସୂଚନାଯୋଗ୍ୟ ଯେ, ଅନନ୍ତ ସିଂହଙ୍କୁ ଗତ ବର୍ଷ ଏକ ହତ୍ୟା ମାମଲାରେ ଗିରଫ କରାଯାଇଥିଲା ଏବଂ ସେ ଏବେ ଯାଏଁ ଜାମିନ ପାଇନାହାନ୍ତି। ତେବେ ତାଙ୍କୁ କେବଳ ଭୋଟ୍ ଦେବା ପାଇଁ ପାରୋଲରେ ଆସିବାକୁ ଅନୁମତି ମିଳିଥିଲା।