ମାତ୍ର ୫୦୦ ଟଙ୍କାର ଲାଞ୍ଚ ମାମଲା, କେତେ ବର୍ଷ ପର୍ଯ୍ୟନ୍ତ ଚାଲିପାରିବ ? ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଏକ ମାମଲାରେ ପ୍ରାୟ ୩୬ ବର୍ଷ ପରେ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲା ଟ୍ରାୟଲ କୋର୍ଟରେ ୧୬ ବର୍ଷ, ହାଇକୋର୍ଟରେ ୬ ବର୍ଷ ଏବଂ ସୁପ୍ରିମକୋର୍ଟରେ ୧୪ ବର୍ଷ ଚାଲିବା ପରେ ଶେଷରେ ନିଜର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ଜଣେ ପୂର୍ବତନ ଅବକାରୀ ଅଧିକାରୀଙ୍କ ଦୋଷୀ ସାବ୍ୟସ୍ତକୁ କାଏମ ରଖି ସୁପ୍ରିମକୋର୍ଟ ତାଙ୍କ ଦଣ୍ଡକୁ କମାଇ ଏକ ବର୍ଷ ଜେଲ୍ କରିଦେଇଛନ୍ତି। ଅଭିଯୁକ୍ତଙ୍କ ବୟସ ଏବଂ ମାମଲାର ଦୀର୍ଘ ଶୁଣାଣିକୁ ଦୃଷ୍ଟିରେ ରଖି ଅଦାଲତ ଏହି ଆଶ୍ୱସ୍ତି ପ୍ରଦାନ କରିଛନ୍ତି।
ଏହି ମାମଲା ଜୁନ୍ ୧୯୯୦ ମସିହାର, ଯେତେବେଳେ ଅଭିଯୁକ୍ତ ଅଧିକାରୀଙ୍କୁ ୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଥିଲେ । ଏହା ପରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଅଧିନିୟମ (Prevention of Corruption Act) ଅଧୀନରେ ମାମଲା ରୁଜୁ କରାଯାଇଥିଲା।
ଟ୍ରାୟଲ କୋର୍ଟ ଶୁଣାଇଥିଲେ ଦୁଇ ବର୍ଷର ଦଣ୍ଡ
ମାମଲାର ଶୁଣାଣି ପରେ ଟ୍ରାୟଲ କୋର୍ଟ ମାର୍ଚ୍ଚ ୨୦୦୬ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଦାଲତ ତାଙ୍କୁ ଦୁର୍ନୀତି ନିବାରଣ ଅଧିନିୟମର ଧାରା ୧୩(୨) ଅଧୀନରେ ଦୁଇ ବର୍ଷ ଜେଲ୍ ଏବଂ ୨୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ।
ଅଭିଯୁକ୍ତ ଟ୍ରାୟଲ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏପ୍ରିଲ ୨୦୧୨ରେ ନିଜର ନିଷ୍ପତ୍ତି ଶୁଣାଇ ଟ୍ରାୟଲ କୋର୍ଟଙ୍କ ଆଦେଶକୁ ସଠିକ୍ ଦର୍ଶାଇଥିଲେ ଏବଂ ଅଭିଯୁକ୍ତଙ୍କ ଆବେଦନକୁ ଖାରଜ କରିଦେଇଥିଲେ।
ସୁପ୍ରିମକୋର୍ଟରେ ୧୪ ବର୍ଷ ଚାଲିଲା ଶୁଣାଣି
ଏହା ପରେ ଅଭିଯୁକ୍ତ ସୁପ୍ରିମକୋର୍ଟରେ ଅପିଲ୍ ଦାୟର କରିଥିଲେ। ଏହି ମାମଲା ୨୦୧୨ରୁ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିଲା ଏବଂ ଗତ ୧୪ ବର୍ଷ ମଧ୍ୟରେ ବିଭିନ୍ନ ବେଞ୍ଚ୍ ସମ୍ମୁଖରେ ୨୧ ଥର ଲିଷ୍ଟେଡ୍ ହୋଇଥିଲା। ଶେଷରେ ଜଷ୍ଟିସ ପଙ୍କଜ ମିଥଲ ଏବଂ ଜଷ୍ଟିସ ପିବି ବରାଲେଙ୍କ ବେଞ୍ଚ୍ ଏହି ମାମଲାର ସମାଧାନ କରି ଟ୍ରାୟଲ କୋର୍ଟ ଓ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି ଗ୍ରହଣ କରିଥିଲେ।
ବୟସକୁ ଦୃଷ୍ଟିରେ ରଖି ଦଣ୍ଡରେ କୋହଳ
ସୁପ୍ରିମକୋର୍ଟ କହିଛନ୍ତି ଯେ, ନିମ୍ନ ଅଦାଲତଗୁଡ଼ିକ ପ୍ରମାଣର ସଠିକ୍ ଆକଳନ କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ଏହି ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ। ତେବେ ଅଦାଲତ ଏହା ମଧ୍ୟ ଧ୍ୟାନ ଦେଇଛନ୍ତି ଯେ ଅପରାଧ ସମୟରେ ଅଭିଯୁକ୍ତଙ୍କ ବୟସ ପ୍ରାୟ ୪୦ ବର୍ଷ ଥିଲା ଏବଂ ଏବେ ସେ ୭୫ ବର୍ଷର ହୋଇସାରିଛନ୍ତି। ଏହି ଆଧାରରେ ଅଦାଲତ ତାଙ୍କ ଦଣ୍ଡକୁ ଦୁଇ ବର୍ଷରୁ କମାଇ ଏକ ବର୍ଷର ସର୍ବନିମ୍ନ ଦଣ୍ଡ କରିଦେଇଛନ୍ତି, ଯାହା ଦୁର୍ନୀତି ନିବାରଣ ଅଧିନିୟମ ଅଧୀନରେ ନିର୍ଦ୍ଧାରିତ।