ଭୁୁବନେଶ୍ୱର: ଓଡିଶାରେ ୪ ରାଜ୍ୟସଭା ଆସନ ପାଇଁ ବିଧାନସଭା ପରିସରରେ ସକାଳ ୯ଟାରୁ ମତଦାନ ଚାଲିଛି । ଭୋଟ୍ ଗ୍ରହଣ ୪ଟା ପର୍ଯ୍ୟନ୍ତ ଚାଲିବ ଏବଂ ଭୋଟ୍ ଗଣତି ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ । ଏହା ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନ ସାମ୍ନାକୁ ଆସିଛି । ସେ କହଛନ୍ତି ଯେ, ନିର୍ବାଚନରେ କ୍ରସ ଭୋଟିଂ ହେବ ନାହିଁ । ଜୟନାରାୟଣଙ୍କ ସହିତ ସନାତନ ମହାକୁଡ ଭୋଟ୍ ଦେବା ପରେ ବଡ ବୟାନ ଦେଇଛନ୍ତି ।
ଜୟନାରାୟଣ କହିଛନ୍ତି, ସମସ୍ତେ ବିବେକାନୁମୋଦିତ ଭୋଟ୍ ଦେବେ । ସେ ବିଜେଡି ସବାପତି ନବୀନ ପଟ୍ଟନାୟକଙ୍କୁ ସିଧାସଳକ ଟାର୍ଗେଟ୍ କରିଛନ୍ତି । କାମଳ ରୋଗୀଙ୍କୁ ସବୁ ହଳଦିଆ ଦିଶେ । ସେଥିପାଇଁ ନବୀନ ବାବୁଙ୍କୁ ସବୁ ହଳଦିଆ ଦିଶୁଛି । ୬ଟା ଯାଏଁ ଅପେକ୍ଷା କରନ୍ତୁ ରେଜଲ୍ଟ ଦେଖିବେ । ଏହା ପୂର୍ବରୁ ନବୀନ ପଟ୍ଟନାୟକ ବିଜେପି ବିଧାୟିକା ଉପାସନାଙ୍କ ଭୋଟକୁ ନେଇ ସମାଲୋଚନା କରିଥିଲେ ।
ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେଲେ ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ । ସେ କହିଛନ୍ତି ରାଜ୍ୟରେ ସ୍ୱାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି । ସସପେଣ୍ଡ ଲୋକଙ୍କୁ ହ୍ୱିପ୍ ଜାରି କରିବାର କୌଣସି ନିୟମ ନାହିଁ । ବିଜେଡି ସସପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଲା । କାଲି ପର୍ଯ୍ୟନ୍ତ ବିଜେଡିର କେହି ବି ମୋ ସହ ଯୋଗାଯୋଗ କରି ନାହାନ୍ତି । ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ୍ ଦେବାକୁ ହେବ କହି ନାହାନ୍ତି । ପୂର୍ବରୁ କହି ସାରିଛି ବିଜେଡି ପଛରେ ଗୋଡାଇବି ନାହିଁ ।