ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭଦ୍ରକ ଜିଲ୍ଲା ଅସୁରା ଛକ ନିକଟରେ ୪ଟି ଗାଡ଼ି ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ୍ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଅସୁରା ଛକ ନିକଟରେ ଏକ ମିନି ଟ୍ରକ, ବସ୍, ଟ୍ରକ୍ ଏବଂ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଥିଲା।
ଏହି ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ବସରେ ଥିବା ପ୍ରାୟ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ସହ ତଦନ୍ତ ଆରମ୍ଭ କରିଛି।