ଭୁବନେଶ୍ୱର: ଆଜି ବିଧାନସଭାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । କ୍ରସ୍ ଭୋଟିଂ କରିଥିବା ୧୦ ବିଧାୟକ ଅନୁପସ୍ଥିତ ରହିଛନ୍ତି । କେବଳ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଗୃହରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ।
ଗତକାଲି ରାଜ୍ୟସଭା ନିର୍ବାଚନରେ ବିଜେଡ଼ି ଓ କଂଗ୍ରେସର ମୋଟ ୧୧ ଜଣ ସଦସ୍ୟ କ୍ରସ୍ ଭୋଟିଂ କରିଥିଲେ । ବିଜେଡ଼ିର ୮ ଏବଂ କଂଗ୍ରେସର ୩ ଜଣ ବିଧାୟକ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ବିଜେଡ଼ିରୁ ନିଲମ୍ବିତ ହୋଇଥିବା ଅରବିନ୍ଦ ମହାପାତ୍ର ଆଜିର ଗୃହ କାର୍ୟ୍ୟରେ ଯୋଗ ଦେଇଛନ୍ତି । ଅନ୍ୟସମସ୍ତ ବିଧାୟକ ଯଥା କଂଗ୍ରେସର ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା, ଦାଶରଥୀ ଗୋମାଙ୍ଗୋ ଏବଂ ବିଜେଡ଼ିର ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରମଣି କହଁର, ନବକିଶୋର ମଲ୍ଲିକ ଓ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛୁ ।
ସେପଟେ ଏହି ସଦସ୍ୟମାନଙ୍କ ଉପରେ ଦଳୀୟ କାର୍ୟ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ଆଜି ଦିଲ୍ଲୀପ ରାୟ ମଧ୍ୟ ସମର୍ଥନ ଦେଇଥିବା ସମସ୍ତ ବିଧାୟକଙ୍କୁ ଏକାଠି ଡାକି ଧନ୍ୟବାଦ ଦେବେ ବୋଲି କହିଛନ୍ତି । ତେଣୁ ଏହି ବିଧାୟକମାନେ ସେଠାକୁ ଯିବାର ମଧ୍ୟ ସମ୍ଭାବନା ରହିଛି ।