ଭୁବନେଶ୍ୱର: ଶ୍ରମୟୀ ମିଶ୍ର କାଗଜପତ୍ର ପ୍ରମାଣ ସହିତ ଭିକେ ପାଣ୍ଡିଆନ ଏବଂ ସଂତୃପ୍ତ ମିଶ୍ର ଖୁଲାସା କରିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ଜନତାଙ୍କୁ ଧୋକା ଦେଇ ନିଜ ସାମ୍ରାଜ୍ୟକୁ ଭଣ୍ଡ ସନ୍ୟାସୀ ହାତରେ ଟେକି ଦେଇଛନ୍ତି । ଯାହାର ପ୍ରମାଣ ଦେଇଛନ୍ତି ଶ୍ରୀମୟୀ ।
ଶ୍ରୀମୟୀ ମିଶ୍ର କିଛି ଦସ୍ତାବିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ନୂଆଦିଲ୍ଲୀରେ ଥିବା ନବୀନଙ୍କ ବାସଭବନ ବିଜୁ-ନବୀନ ଇନ୍ସିପରେସନାଲ୍ ଫାଉଣ୍ଡେସନକୁ ଟେକି ଦେଇଛନ୍ତି ନିଜେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ପାଖରେ ମାଲିକାନା ଥିବାବେଳେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ, ସଂତୃପ୍ତ ମିଶ୍ର ଏବଂ ଅଶୋକ କୁମାର ପରିଜା ଆଜୀବନ ଟ୍ରଷ୍ଟି ହୋଇଛନ୍ତି । ପାଣ୍ଡିଆନ ଟ୍ରଷ୍ଟର ଆଜୀବନ ସଭାପତି ରହିଛନ୍ତି । ସଂତୃପ୍ତ ମିଶ୍ର ସମ୍ପାଦକ ଏବଂ ଅଶୋକ ପରିଜା କୋଷାଧ୍ୟକ୍ଷ ରହିଛନ୍ତି । ୨୦୨୫, ମେ ୭ ଓ ୮ ତାରିଖରେ ଏହି ଦସ୍ତାବିଜ ପ୍ରସ୍ତୁତ ହୋଇଛି ।
ତେବେ ଶ୍ରୀମୟୀ ବଡ଼ ପ୍ରଶ୍ନ କରିଛନ୍ତି । ଦୀର୍ଘ ୨୮ବର୍ଷ ଧରି ଦିନରାତି ପରିଶ୍ରମ କରିଥିବା ବିଜୁ ଜନତା ଦଳର କର୍ମୀ-ନେତାମାନଙ୍କୁ କ’ଣ ଶେଷରେ ଏଭଳି ଧୋକା ମିଳିବାର ଥିଲା କି? ନବୀନବାବୁ ନିଜେ କହିଥିଲେ ଯେ ତାଙ୍କର ଉତ୍ତରାଧିକାରୀ ଓଡ଼ିଶାବାସୀ ଚୟନ କରିବେ, କିନ୍ତୁ ଭଣ୍ଡ ସନ୍ୟାସୀ ହାତରେ ସାମ୍ରାଜ୍ୟ ଟେକି ଦେବା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି ? ଆପଣ ନିଜେ ‘ସେଟଲର' ବା ପ୍ରତିଷ୍ଠାତା ସାଜି ବିଜୁବାବୁଙ୍କ ସନ୍ତକ ଥିବା ନୂଆଦିଲ୍ଲୀସ୍ଥିତ ବାସଭବନ ସେହି ଟ୍ରଷ୍ଟକୁ ଟେକିଦେଲେ, ଯାହାର ଆଜୀବନ ଅଧ୍ୟକ୍ଷ ଓ ସର୍ବମୟକର୍ତ୍ତା ହେଉଛନ୍ତି ଭଣ୍ଡ ସନ୍ୟାସୀ । ଆପଣ କ’ଣ ପରୋକ୍ଷରେ ଓଡ଼ିଶାର ସମ୍ପତ୍ତି ଓ ଆପଣଙ୍କ ଉତ୍ତରାଧିକାରୀ ଭାବେ ଭଣ୍ଡ ସନ୍ୟାସୀକୁ ବାଛି ସାରିଛନ୍ତି କି? ଯଦି ନୁହେଁ ବିଗତ ୩ଦିନ ଧରି ତା’ର ସ୍ପଷ୍ଟୀକରଣ କାହିଁକି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ।ସେହିପରି ସେ ଆହୁରି ଲେଖିଛନ୍ତି, ଏହି ଟ୍ରଷ୍ଟ ‘ଅପରିବର୍ତ୍ତନୀୟ' ବା Irrevocable ଓ ଏହାର ସମସ୍ତ ନିଷ୍ପତ୍ତି ଭଣ୍ଡ ସନ୍ୟାସୀ ନେବେ, ତେବେ ଭବିଷ୍ୟତରେ ବିଜେଡିର ନାମ ଓ ବିଜୁ ବାବୁଙ୍କ ଆଦର୍ଶ ଉପରେ କ’ଣ ଭଣ୍ଡ ସନ୍ୟାସୀଙ୍କର ଏକଚାଟିଆ ବ୍ୟକ୍ତିଗତ ମାଲିକାନା ରହିବ କି?
ଶ୍ରୀମୟୀ ରାଜ୍ୟ ବାହାରେ ପଞ୍ଜିକରଣକୁ ନେଇ ଘେରିଛନ୍ତି । କର୍ମୀ-ନେତା ନବୀନଙ୍କ ଗୋଟିଏ ଇସାରାରେ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଥିବାବେଳେ ସମସ୍ତଙ୍କୁ ଅନ୍ଧାରରେ ରଖି ନୂଆଦିଲ୍ଲୀରେ ଗୁପ୍ତ ଭାବେ ‘ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’ ପଞ୍ଜିକୃତ କରିବାର ଆବଶ୍ୟକତା କଣ ଥିଲା ? ଓଡ଼ିଶାରେ କ’ଣ ପଞ୍ଜିକରଣ ପାଇଁ ସରକାରୀ ଅଫିସ୍ ନାହିଁ ନ ଏହାର ବି ଅଭାବ ଆପଣଙ୍କୁ ପଡ଼ିଲା? ଦଲିଲ ଏଭଳି ପ୍ରସ୍ତୁତ କରାଯାଇଛି ଯେଉଁଠି ଆପଣଙ୍କର ବି କ୍ଷମତାକୁ ଭଣ୍ଡ ସନ୍ୟାସୀ ସବୁଦିନ ପାଇଁ ହଡ଼ପ କରିନେଇଛନ୍ତି । ଦିଲ୍ଲୀସ୍ଥିତ ବାସଭବନର କର୍ମଚାରୀମାନେ ଦଲିଲରେ ସାକ୍ଷୀ ଭାବେ ରହିଛନ୍ତି ।