ଭୁବନେଶ୍ୱର: କଂଗ୍ରେସ ଦଳରୁ ସଦ୍ୟତମ ଭାବେ ନିଲମ୍ବିତ ହୋଇଥିବା ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କ ବିଧାନସଭା ଆସନ ବଦଳିବ । ଏଥି ନିମନ୍ତେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖିଛନ୍ତି ।
କାଡ଼ାମ ଚିଠିରେ କହିଛନ୍ତି, ଗତକାଲି ହୋଇଥିବା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିବା ଅଭିଯୋଗରେ ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ତେଣୁ ସେମାନେ ଆଉ କଂଗ୍ରେସ ଦଳର ବିଧାନସଭା ସଦସ୍ୟ ହୋଇ ନାହାଁନ୍ତି । ତେଣୁ ଗୃହରେ ସେମାନଙ୍କ ଆସନ ପରିବର୍ତ୍ତନ କରିବାକୁ କାଡ଼ାମ ଚିଠିରେ କହିଛନ୍ତି ।
ଦଳୀୟ ନିର୍ଦ୍ଦେଶାବଳୀକୁ ଅବମାନନା କରିଥିବା କଂଗ୍ରେସର ତିନି ବିଧାୟକ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା କଂଗ୍ରେସ ମିଡ଼ିଆ ସେଲ୍ ସଭାପତି ଅରବିନ୍ଦ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।