ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଝିଅ ହିମାନିୟନୀ ପୁରୀ ୧୦ କୋଟିର ମାନହାନୀ ମୋକଦ୍ଦମା କରିଛନ୍ତି । ଆମେରିକାର ବହୁ ଚର୍ଚ୍ଚିତ ଯୌନ ଅପରାଧ ମାମଲା ଏପଷ୍ଟିନ ସହିତ ତାଙ୍କ ନାମକୁ ଯୋଡ଼ିବାକୁ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ହିମାନୀୟାନୀ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ନାମରେ ଅପପ୍ରଚାର କରାଯାଉଥିବା ମାମଲାରେ ଦର୍ଶାଇଛନ୍ତି । ତୁରନ୍ତ ସେଇ ପୋଷ୍ଟ ଗୁଡ଼ିକୁ ହଟାଇବାକୁ ସେ କୋର୍ଟ ନିକଟରେ ଦାବି କରିଛନ୍ତି । ଏହା ସହିତ ଯେଉଁ ସାମାଜିକ ଗଣମାଧ୍ୟମରେ ତାଙ୍କ ବିରୁଦ୍ଧରେ ଏଭଳି ପୋଷ୍ଟ କରୁଛନ୍ତି ସେମାନଙ୍କ ଠାରୁ ୧୦ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଆବେଦନରେ ଅନେକ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ପେଜ୍ ଗୁଡ଼ିକୁ ସେ ପକ୍ଷଭୁକ୍ତ କରିଛନ୍ତି । ଏହା ସହିତ ଅଜ୍ଞାତ ବ୍ୟକ୍ତି (ଜୋନ୍ ଡୋ) ବିରୁଦ୍ଧରେ ନିର୍ଦ୍ଦେଶ ଦେବକୁ ଦାବି କରିଛନ୍ତି ।
୨୨ ଫେବୃଆରୀରେ ଅନେକ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଜେଫରୀ ଏପଷ୍ଟିନ ଏବଂ ତାଙ୍କ ଅପରାଧିକ ମାମଲାରେ ହିମାୟନୀଙ୍କ ପ୍ରତ୍ୟକ୍ଷ ବ୍ୟବସାୟିକ ଏବଂ ବ୍ୟକ୍ତିଗତ ସଂପୃକ୍ତି ଥିବା ଦାବି କରିଥିଲେ । ଏହା ମଧ୍ୟରୁ ଅନେକ କମ୍ପାନୀରେ ସେ କାମ ମଧ୍ୟ କରିସାରିଛନ୍ତି । ସେଥି ମଧ୍ୟରୁ ଗୋଟିଏ କମ୍ପାନୀ ‘ରିୟଲ୍ ପାର୍ଟନର୍ସ୍ ଏଲଏଲସି’କୁ ଏପଷ୍ଟିନ କିମ୍ବା ତାଙ୍କ ସହଯୋଗୀଠାରୁ ଟଙ୍କା ମିଳିଥିବା ସୋସିଆଲ ମିଡ଼ିଆରେ ଦାବି କରାଯାଇଥିଲା । ରବର୍ଟ ମିଲାର୍ଡ, ହିମାୟନୀ ପୁରୀଙ୍କ ସହ ମିଶି ଲେହମାନ ବ୍ରଦର୍ସଙ୍କ ପତନ ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ହିମାୟନୀ ତାଙ୍କ ଆବେଦନରେ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ କପୋଳକଳ୍ପିତ ବୋଲି ଦର୍ଶାଇଛନ୍ତି । ଏହି ଅଭିଯୋଗଗୁଡ଼ିକୁ ସମ୍ପାଦିତ ଭିଡିଓ, ଭ୍ରମାତ୍ମକ କ୍ୟାପସନ ଏବଂ ପରିବର୍ତ୍ତନ କରାଯାଇଥିବା ଥମ୍ବନେଲ୍ ବ୍ୟବହାର କରି ସୋସିଆଲ ମିଡିଆରେ ଭାଇରାଲ କରାଯିବା ପାଇଁ କରାଯାଇଥିଲା, ଯାହା ଦ୍ୱାରା ତାଙ୍କ ପ୍ରତିଷ୍ଠାକୁ ଗୁରୁତର କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିଲା। କେବଳ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ ହୋଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ସେ ଆବେଦନରେ ଉଲ୍ଲେଖ କରିଛନ୍ତି । ମଙ୍ଗଳବାର କିମ୍ବା ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ଅଛି।