ଭୁୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟିଛି । ରାଜ୍ୟସଭା ନିର୍ବାଚନରେ ହୋଇଛି କ୍ରସ ଭୋଟିଂ । ବର୍ତ୍ତମାନ ସୁଦ୍ଧା ତିନି ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସୂଚନା ସାମ୍ନାକୁ ଆସିଛି । କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ବାଲିଗୁଡା ବିଜେଡି ବିଧାୟକ ଚକ୍ରମଣି କହଁର କ୍ରସ ଭୋଟିଂ କରିଥିବା ଜଣା ପଡିଛି । ସେହିପରି କଟକ ବାରବାଟୀରୁ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କ୍ରସ ଭୋଟିଂ କରିଥିବା କୁହାଯାଉଛି ।
ଏହି ସବୁ ବିଧାୟକ ଦଳୀୟ ହ୍ୱିପ ନ ମାନି ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିବା କୁହାଯାଉଛି । ଚକ୍ରମଣି କହଁର ଓ ସୌଭିକ ବିଶ୍ୱାଳ କ୍ରସ ଭୋଟିଂ କରିଥିବା ସ୍ପଷ୍ଟ ଜଣା ପଡିଛି । ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବିଜେଡିର ଏଜେଣ୍ଟ ପ୍ରତାପ ଦେବ । ସୋଫିଆ ଫିର୍ଦ୍ଦୋସ ମଧ୍ୟ କ୍ରସ ଭୋଟିଂ କରିଥିବା ସୂଚନା ରହିିଛି । ଏହା ପୂର୍ବରୁ ସେ ଦଳୀୟ ନିଷ୍ପତ୍ତି ନେଇ ଅସନ୍ତୋଷ ଝାଡିଥିଲେ । ଯେଉଁ ୮ ବିଧାୟକ ଏବଂ ବିଧାୟିକାଙ୍କ ଭୋଟ୍ କୁଆଡେ ଯିବ ତାକୁ ନେଇ ଚର୍ଚ୍ଚା ହେଉଥିଲା ସେଥିରୁ ୩ ଜଣ କ୍ରସ ଭୋଟିଂ କରି ସାରିଲେଣି । ଏବେ ବାକି ୫ ଜଣଙ୍କ ଭୋଟ୍ କୁଅଡେ ଯିବ ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ।
ସୌଭିକ ବିଶ୍ୱାଳ
ସୌଭିକ ବିଶ୍ୱାଳ ହେଉଛନ୍ତି କଟକ ଚୌଦ୍ୱାରରୁ ବିଜେଡି ବିଧାୟକ । ସେ ଏହି ଆସନରୁ କ୍ରମାଗତ ଦୁଇ ଥର ନିର୍ବାଚନ ଜିତିଲେଣି । ତେବେ ତାଙ୍କ ବାପା ପ୍ରଭାତ ବିଶ୍ୱାଳ ଦିନ ଥିଲା ବିଜେଡିର ଜଣେ ବରିଷ୍ଠ, ଟାଣୁଆ ଏବଂ ଅଭିଜ୍ଞ ନେତା ଥିଲେ । ହେଲେ ଦଳର କାର୍ଯ୍ୟକୁ ନେଇ ଅନେକ ଥର ଅସନ୍ତୋଷ ବ୍ୟକ୍ତ କରିବା ସହ ଖୋଲାଖୋଲି ଦଳର ନିଷ୍ପତ୍ତିକୁ ସମାଲୋଚନା କରି ଆସିଥିଲେ । ତେଣୁ ଦଳ ତାଙ୍କୁ କିଛି ଦିନ ତଳେ ବହିଷ୍କାର କରି ସାରିଛି । ତେଣୁ ସୌଭିକ ବିଶ୍ୱାଳଙ୍କ ଭୋଟ୍ କେଉଁ ଆଡକୁ ଯିବ ତାହା କହିବା ମୁସ୍କିଲ ଲାଗୁଥିଲା । କିନ୍ତୁ ତାହା ସେ କ୍ରସ ଭୋଟିଂ କରିଛନ୍ତି ।
ସୋଫିଆ ଫିର୍ଦ୍ଦୋସ
ସୌଭିକ ବିଶ୍ୱାଳଙ୍କ ପରି ପ୍ରାୟତଃ ସମାନ କାହାଣୀ ସୋଫିଆଙ୍କର । ସୋଫିଆ ହେଉଛନ୍ତି କଟକ ବାରବାଟୀରୁ କଂଗ୍ରେସର ବିଧାୟିକା । ତାଙ୍କ ବାପା ମହମ୍ମଦ ମୋକିମ ମଧ୍ୟ ପୂର୍ବରୁ ଏହି ଆସନରୁ ନିର୍ବାଚନ ଜିତିଥିଲେ । ସେ କଂଗ୍ରେସର ଜଣେ ବରିଷ୍ଠ ଏବଂ ଦୃଢ ସଂଗଠକ ଟାଣୁଆ ନେତା ଥିଲେ । ସେ ମଧ୍ୟ ଦଳର କାର୍ଯ୍ୟଶୈଳୀ ଏବଂ ଆଭିମୁଖ୍ୟ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଦଳରୁ ତଡା ଖାଇଛନ୍ତି । ତାଙ୍କ ରାସ୍ତାରେ ବି ସୋଫିଆ ଫିର୍ଦ୍ଦୋଶ । ବେଙ୍ଗାଲୁରୁ ଯାଇ ନ ଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସୋଫିଆଙ୍କ ନାଁ ମଧ୍ୟ ଥିଲା । ତାଙ୍କୁ ଯେବେ ପ୍ରଶ୍ନ କରାଯାଇଥିଲା ଯେ, ଆପଣଙ୍କ ଭୋଟ୍ କାହାକୁ ଯିବ, ସେ ସ୍ପଷ୍ଟ ଭାବେ ଉତ୍ତର ଦେଇ ନ ଥିଲେ । ଆଉ ସେ ଏବେ କ୍ରସ ଭୋଟିଂ କରିଥିବା କୁହାଯାଉଛି ।
ଚକ୍ରମଣି କହଁର
ଚକ୍ରମଣି କହଁର ବିଜେଡିର ବିଧାୟକ । ସେ କନ୍ଧମାଳ ଜିଲ୍ଲାରେ ବିଜେଡିର ଜଣେ ଟାଣୁଆ ନେତା । ସେ ବର୍ତ୍ତମାନ ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିଧାୟକ । ବର୍ତ୍ତମାନ ଚାଲିଥିବା ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ବୈଠକରେ ଅନୁପସ୍ଥିତ ରହିବା ଏବଂ ଦଳର ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ବିଜୁ ଜନତା ଦଳ ତାଙ୍କୁ \'କାରଣ ଦର୍ଶାଅ ନୋଟିସ\' ଜାରି କରିଥିଲା । ଏପରିିକି ବିଜେପି ତାଙ୍କୁ ଲୁଚାଇ ରଖିଥିବା ବିଜେଡି ସଙ୍ଗୀନ ଅଭିଯୋଗ ମଧ୍ୟ କରିଥିଲା । ତେଣୁ ଚକ୍ରମଣି କହଁରଙ୍କ ଦଳରୁ ଏମିତି ଗାଏବ ରହିବା, ସେ କ୍ରସ ଭୋଟିଂ କରିବାର ସମ୍ଭାନବାକୁ ଏଡାଇ ଦିଆଯାଇ ନ ପାରେ । ଆଉ ଆଶଙ୍କାକୁ ପ୍ରମାଣିତ କରି କ୍ରସ ଭୋଟିଂ କରିଛନ୍ତି ଚକ୍ରମଣି କହଁର ।