ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତିରେ ସିନେମା ଓ ନେତାଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହି ଆସିଛି । ଏବେ ଏହି ଅଧ୍ୟାୟରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ବିଜେପି ରାଜ୍ୟର କ୍ଷମତାରେ ନିଜର ସ୍ଥିତି ମଜବୁତ କରିବା ପାଇଁ ଅଭିନେତାରୁ ନେତା ହୋଇଥିବା ବିଜୟଙ୍କ ପାର୍ଟି ଟିଭିକେକୁ ମେଣ୍ଟର ଖୁଲା ଅଫର ଦେଇଛନ୍ତି । ସୂତ୍ର ମୁତାବକ ବିଜେପି ବିଜୟଙ୍କ ଆଗରେ ଉପମୁଖ୍ୟମନ୍ତ୍ରୀ ପଦର ପ୍ରସ୍ତାବ ରଖିଛି।
ଇଣ୍ଡିଆ ଟୁଡେ ନିଜର ଏକ ରିପୋର୍ଟରେ କହିଛି ଯେ, ପାର୍ଟି ମେଣ୍ଟ ଆଧାରରେ ଟିଭିକେକୁ ୮୦ ସିଟ୍ ଦେବାକୁ ପ୍ରସ୍ତାବ ଦେଇଛି । ବିଜେପି ପାର୍ଟି ହାଇକମାଣ୍ଡଙ୍କ ମତରେ ଯଦି ବିଜୟଙ୍କ ପ୍ରଶଂସକଙ୍କ ଭୋଟ୍ ଏନଡିଏ ସହିତ ଯୋଡି ହୋଇଯାଏ ତେବେ ରାଜ୍ୟର ନିର୍ବାଚନ ଫଳାଫଳ ସଂପୂର୍ଣ୍ଣ ଭାବେ ବଦଳିପାରେ ।
ବିଜେପି ରଣନୀତିକାରଙ୍କ ଆକଳନ ଏହା ଯେ, ତାମିଲନାଟୁରେ କଡା ମୁକାବିଲାରେ ମାତ୍ର ୨ ପ୍ରତିଶତ ଭୋଟ୍ ବ୍ୟବଧାନ ଜୟ ଓ ପରାଜୟର ଦିଗ ବଦଳାଇପାରେ । ବିଜୟଙ୍କ ଅଦ୍ଭୁତପୂର୍ବ ଲୋକପ୍ରିୟତାକୁ ଦେଖି ବିଜେପି ତାଙ୍କୁ ନିଜ ସପକ୍ଷରେ ଟାଣିବା ପାଇଁ ବଡ ଗୋଟି ଚାଳନା କରିଛି ।
ପରଦା ପଛରେ ଚାଲିଛି ଆଲୋଚନା
କୁହାଯାଉଛି ଏହି ମେଣ୍ଟ ପାଇଁ ଅନ୍ୟ ଏକ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମଧ୍ୟସ୍ଥତା ଭୂମିକା ନିର୍ବାହ କରୁଛନ୍ତି, ଯଦ୍ୱାରା ବିଜୟଙ୍କ ସହିତ ଆଲୋଚନାର ଦ୍ୱାର ଖୋଲିବ । ହୋଇପାରେ ବିଜେପି ଉପମୁଖ୍ୟମନ୍ତ୍ରୀ ପଦ ଓ ୮୦ ସିଟର ଅଫର ଦେଇଛି, ମାତ୍ର ଅଭିନେତା ବିଜୟଙ୍କ ନଜର ମୁଖ୍ୟମନ୍ତ୍ରୀ ପଦ ଉପରେ ରହିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ବିଜୟ ନିଜର ପ୍ରଥମ ନିର୍ବାଚନୀ ଇନିଂସରେ ମୁଖ୍ୟ ଭୂମିକା ନିଭାଇବାକୁ ଚାହାନ୍ତି ।
ବିଜୟଙ୍କ ଗୋଷ୍ଠୀରେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି
ଅନ୍ୟପଟେ ବିଜୟଙ୍କ ନିକଟତମ ପରାମର୍ଶଦାତାଙ୍କ ମଧ୍ୟରେ ଏହି ମେଣ୍ଟକୁ ନେଇ ଚିନ୍ତା ରହିଛି । ବିଜୟ ନିଜର ରାଜନୈତିକ କ୍ୟାରିୟରର ଆରମ୍ଭ ଏକ ତୃତୀୟ ବିକଳ୍ପ ଏବଂ ସ୍ୱତନ୍ତ୍ର ଶକ୍ତି ଭାବେ କରିଛନ୍ତି । ପରାମର୍ଶଦାତାଙ୍କ ମତରେ ଏତେ ଶୀଘ୍ର କୌଣସି ଜାତୀୟ ଦଳ ସହ ମେଣ୍ଟ କଲେ ତାଙ୍କ ନୂଆ ଏବଂ ଭିନ୍ନ ରାଜନୀତିର ଛବି ମଳିନ ପଡିପାରେ ।
Also read: ସଙ୍କଟ ମଧ୍ୟରେ ବ୍ୟବସାୟିକ ସିଲିଣ୍ଡର ଯୋଗାଣ ଆରମ୍ଭ; ଅଯଥାରେ ଇନ୍ଧନ ସଂରକ୍ଷଣ କରନ୍ତୁ ନାହିଁ