ଭୁବନେଶ୍ୱର: ବିଜେଡ଼ି-କଂଗ୍ରେସର କମନ ପ୍ରାର୍ଥୀକୁ ନେଇ ଖବୁ ବର୍ଷିଛନ୍ତି କଂଗ୍ରେସରେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଶୋଦଗାର କରିଛନ୍ତି ସୋଫିଆ । ପ୍ରାର୍ଥୀ ଚୟନରେ କୌଣସି ଆଲୋଚନା ହୋଇ ନାହିଁ । ଯିଏ ଯାହାର ବ୍ୟକ୍ତିଗତ ହିସାବରେ ଭୋଟ୍ ଦେବେ ବୋଲି କହିଛନ୍ତି ସୋଫିଆ ।
ସୋଫିଆ ଫିର୍ଦ୍ଦୋସ ପ୍ରଥମେ ତାଙ୍କୁ ଦଳରେ ଅଣାଦେଖା କରାଯାଉଥିବା ପରୋକ୍ଷରେ କହିଛନ୍ତି । ବିଗତ ଏକ ବର୍ଷ ହେବେ ତାଙ୍କୁ ଦୂରେଇ ରଖାଯାଉଛି । ରାଜ୍ୟସଭା ନିର୍ବାଚନ ପାଇଁ ତାଙ୍କ ସହିତ କୌଣସି ଆଲୋଚନା କରାଯାଇ ନାହିଁ । ସେହିପରି ନୂଆପଡ଼ା ଉପନିର୍ବାଚନରେ ତାଙ୍କୁ ସାମିଲ କରାଯାଇ ନାହିଁ । ଏପରିକି କଟକରେ କେଉଁମାନେ କଂଗ୍ରେସରେ ମିଶୁଛନ୍ତି ତାହା ମଧ୍ୟ ଜଣାଯାଉନାହିଁ ।
ସେହିପରି ସୋଫିଆ ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ-ବିଜେଡ଼ିକୁ ମେଣ୍ଟକୁ ନା ପସନ୍ଦ କରିଛନ୍ତି । ପ୍ରାର୍ଥୀ ଚୟନ ପାଇଁ କୌଣସି ପ୍ରକାର ଆଲୋଚନା ହୋଇନଥିଲା । ସମସ୍ତ ବିଧାୟକ ଭୋଟ୍ ଦେଉ ଥିବାରୁ ସେମାନଙ୍କ ସହିତ ଆଲୋଚନା ହୋଇଥିଲେ ଭଲ ହୋଇଥାଆନ୍ତା । କେବଳ ବିଜୁ ଜନତା ଦଳ ପାଇଁ କଂଗ୍ରେସ ଏହି ସ୍ତରକୁ ଆସିଛି । କାରଣ ବିଜେଡ଼ି ଓ ବିଜେପି ସବୁବେଳେ ମିଶିକି ରହିଛନ୍ତି । ସବୁଥିରେ ବିଜେପିକୁ ସମର୍ଥନ ଦେଇଛି । ବିଜେଡ଼ି ଲୋକସଭା ଏବଂ ରାଜ୍ୟସଭାରେ ବିଜେପିକୁ ସମର୍ଥନ କରୁଛି । ସେହିପରି ବିଜେଡ଼ି ୱାକଫ୍ ବିଲକୁ ମଧ୍ୟ ସମର୍ଥନ କରିଛି । କିନ୍ତୁ ତାଙ୍କ ସହିତ ମିଶି ପ୍ରାର୍ଥୀ ଦେବା ଭୁଲ ଅଟେ। ଦୁଇ ଦଳଙ୍କଠାରୁ ସମ ଦୂରତା ରକ୍ଷା କରିବା ଉଚିତ ଥିଲା । ଯଦି ଉଭୟ ଦଳର ମୁଖିଆ ମିଶି ସ୍ୱାଧୀନ ପ୍ରାର୍ଥୀ ଦେଇଥିଲେ ଇଜ୍ଜତ ରହିଥାଆନ୍ତା । ବିଜେଡ଼ି ଦଳର ମୁଖ୍ୟ ଷଡ଼ଯନ୍ତ୍ର ହେଉଛି କଂଗ୍ରେସକୁ ତଳକୁ ନେବା । ସେଥିପାଇଁ କିଛି ବିଧାୟକ ଏହି ନିଷ୍ପତ୍ତି ପାଇଁ ଆଘାତ ପାଇଛନ୍ତି ।
ତଥାପି ରାଜ୍ୟସଭା ନିର୍ବାଚନରେ ସେ ବ୍ୟକ୍ତିଗତ ହିସାବରେ ଭୋଟ୍ ଦେବେ । ଯେହେତୁ ଭୋଟ୍ ଦେବା ତାଙ୍କର ଅଧିକାର ତେଣୁ ସେ ଭୋଟ୍ ଦେବ ।