ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଧ୍ଵନିମତରେ ଖାରଜ ହୋଇଛି। ବିରୋଧୀ ଦଳ ବାଚସ୍ପତିଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଲୋକସଭାରେ ଦୁଇ ଦିନ ଧରି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବିତର୍କ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାଚସ୍ପତିଙ୍କ ସମର୍ଥନରେ ବିରୋଧୀ ଦଳ ଉପରେ ପ୍ରବଳ ବର୍ଷିଥିଲେ। ଯାହା ଫଳରେ ଶେଷରେ ଧ୍ଵନି ମତରେ ପ୍ରସ୍ତାବକୁ ଖାରଜ କରାଯାଇଛି। ଫଳରେ ବିରୋଧୀଙ୍କୁ ବଡ଼ ଝଟକା ଲାଗିଛି।
ଏହି ପ୍ରସ୍ତାବ କଂଗ୍ରେସ ଦଳର ମହମ୍ମଦ ଜାଭେଦ ଆଗତ କରିଥିଲେ। ଏହା ଉପରେ ଅନେକ ବିରୋଧୀ ସାଂସଦ ସମର୍ଥନ କରିଥିଲେ। ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ଉପରେ ବିରୋଧୀ ଦଳର ନେତାଙ୍କ ପ୍ରତି ପକ୍ଷପାତିତାର ଅଭିଯୋଗ ଆଣିଥିଲେ। ତଥାପି, NDA ନେତାମାନେ ଏହାକୁ ଦୃଢ଼ ଭାବରେ ଖଣ୍ଡନ କରିଥିଲେ।
ଗୃହରେ ବିତର୍କରେ ସାମିଲ୍ ହୋଇ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଗୃହର କାର୍ଯ୍ୟ ପାରସ୍ପରିକ ବିଶ୍ୱାସ ଏବଂ ନିୟମ ପାଳନ ଉପରେ ଆଧାରିତ। ବାଚସ୍ପତିଙ୍କ ଦାୟିତ୍ୱ ହେଉଛି ଗୃହର ଜଣେ ନିରପେକ୍ଷ ସଂରକ୍ଷକ ଭାବରେ କାର୍ଯ୍ୟ କରିବା।
ସେ କହିଛନ୍ତି ଯେ ବାଚସ୍ପତି ଜଣେ ନିରପେକ୍ଷ ସଂରକ୍ଷକ ଭାବରେ କାର୍ଯ୍ୟ କରନ୍ତି। ସେ ଶାସକ ଦଳ ଏବଂ ବିରୋଧୀ ଉଭୟଙ୍କ ପ୍ରତିନିଧିତ୍ୱ କରନ୍ତି। ଅଧିବେଶନ କିପରି ପରିଚାଳନା କରାଯିବା ଉଚିତ ସେ ବିଷୟରେ ବାଚସ୍ପତିଙ୍କୁ ମାର୍ଗଦର୍ଶନ କରିବା ପାଇଁ ଲୋକସଭା ନିର୍ଦ୍ଦିଷ୍ଟ ନିୟମ ରହିଛି। ଏହି ଗୃହ ଏକ ବଜାର ନୁହେଁ; ସଦସ୍ୟମାନେ ଏହାର ନିୟମ ଏବଂ ପ୍ରକ୍ରିୟା ଅନୁସାରେ କହିବା ଏବଂ ଅଂଶଗ୍ରହଣ କରିବା ଆଶା କରାଯାଏ।
ବିରୋଧୀଙ୍କୁ ବାଧା ଦିଆଯାଏ
ଜେଏମଏମ ସାଂସଦ ବିଜୟ କୁମାର ହଂସଡାକ କହିଛନ୍ତି ଯେ ଗୃହରେ ବିରୋଧୀଙ୍କ ଭାଷଣ ସମୟରେ ବାଧା ସୃଷ୍ଟି ହେବା ସାଧାରଣ ହୋଇଗଲାଣି। ସେ କହିଛନ୍ତି, ଯେତେବେଳେ ବିରୋଧୀ ସାଂସଦମାନେ ନିଜତ ମତ ରଖନ୍ତି, ସେମାନଙ୍କୁ ବାଧା ଦିଆଯାଏ।ଏହା ଏକ ପରମ୍ପରା ପାଲଟିଛି। ଆଉ ଏକ ପରମ୍ପରା ହେଉଛି ଯେତେବେଳେ ସାଂସଦମାନେ ନିଜର ପକ୍ଷ ରଖନ୍ତି କ୍ୟାମେରାକୁ ବୁଲାଇ ଦିଆଯାଏ। ଏନସିପି (ସପା) ସାଂସଦ ବଜରଙ୍ଗ ମନୋହର ସୋନାୱାନେ ମଧ୍ୟ କହିଛନ୍ତି ଯେ ବିରୋଧୀ ଜାଣିଥିଲେ ଯେ ପ୍ରସ୍ତାବ ଖାରଜ ହେବ।