କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ବୁଥ୍ ବାହୁଡ଼ା ମତ (ଏକ୍ସିଟ୍ ପୋଲ୍) ରିପୋର୍ଟ ପ୍ରକାଶ ପାଇ ସାରିଛି । ଅଧିକାଂଶ ମତ ବିଜେପି ସପକ୍ଷରେ ଯାଇଛି । ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ଦେଖା ଦେଇଛି । କିନ୍ତୁ ଏକ୍ସିଟ୍ ପୋଲ୍ ତଥ୍ୟ ଦେଉଥିବା ଦେଶର ପ୍ରମୁଖ ସଂସ୍ଥା ଆକ୍ସିସ୍ ମାଇଁ ଇଣ୍ଡିଆ (Axis My India) ଚଳିତ ଥର ତଥ୍ୟ ଜାରି କରିବାକୁ ମନା କରିଦେଇଛି । ସଂସ୍ଥାର ପ୍ରବନ୍ଧ ନିର୍ଦ୍ଦେଶକ ପ୍ରଦୀପ ଗୁପ୍ତା ଏହି ସୂଚନା ଦେଇଛନ୍ତି ।
ଗତକାଲି ୫ଟି ସ୍ଥାନରେ ମତଦାନ ଶେଷ ହେବା ପରେ ସନ୍ଧ୍ୟାରେ ବୁଥ ବାହୁଡ଼ା ମତ ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଆକ୍ସିସ୍ ତାର ତଥ୍ୟ ପ୍ରକାଶ କରି ନଥିଲା । ଖୁବ କମ୍ ସଂଖ୍ୟକ ତଥ୍ୟ ସଂଗୃହୀତ ହୋଇଥିବାରୁ ରିପୋର୍ଟ ଦେବାକୁ ମନା କରିଥିଲା । ଗୁରୁବାର ଅର୍ଥାତ ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ପ୍ରକାଶ ପାଇବ ବୋଲି କୁହାଯାଇଥିଲା । ମାତ୍ର ଆଜି ରିପୋର୍ଟ ପ୍ରକାଶ କରାଯିବ ନାହିଁ ବୋଲି କୁହାଯାଇଛି । ପ୍ରଦୀପ ଗୁପ୍ତା କହିଛନ୍ତି ଯେ ଏକ୍ସିଟ୍ ପୋଲ୍ ପାଇଁ ୬୦ ପ୍ରତିଶତ ମତ ମଧ୍ୟ ମିଳିପାରିନାହିଁ । ୬୦ ପ୍ରତିଶତ ମତଦାତା କାହାକୁ ଭୋଟ୍ ଦେଇଛନ୍ତି କହିବାକୁ ମନା କରିଦେଇଥିଲେ । ବହୁତ କମ୍ ମତ ଥିବାରୁ ରିପୋର୍ଟ ଜାରି କରାଯାଇ ନାହିଁ ।
ଗୁପ୍ତା କହିଛନ୍ତି ଯେ ଆକ୍ସିସ୍ ମାଇଁ ଇଣ୍ଡିଆର ମୁଖ୍ୟ ପ୍ରକ୍ରିୟା ହେଉଛି ଲୋକଙ୍କ ସହିତ ସିଧାସଳଖ କଥା ହେବା । କିନ୍ତୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଅଧିକାଂଶ ଲୋକେ ମତ ଦେବାକୁ ମନା କରିଦେଇଥିଲେ । ଏମିତିକି ଖାଲି ‘ହଁ’ କିମ୍ବା ‘ନାଁ’ କହିବାକୁ ମଧ୍ୟ ପ୍ରସ୍ତୁତ ନ ଥିଲେ । ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିବା ସେ କହିଛନ୍ତି । ତେଣୁ ମାତ୍ର ୨୦-୩୦ ପ୍ରତିଶତ ମତରେ ଅନୁମାନ କରିବା ଠିକ୍ ନୁହେଁ ।
ଉଲ୍ଲେଖ ଯୋଗ୍ୟ, ପଶ୍ଚିମବଙ୍ଗରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଦୁଇଟି ପର୍ଯ୍ୟାୟରେ ମୋଟ ୯୨.୪୭ ପ୍ରତିଶତ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୯୩.୧୩ ପ୍ରତିଶତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୯୧.୬୬ ପ୍ରତିଶତ ମତଦାନ ହୋଇଛି । ସ୍ୱାଧୀନତା ପରେ ଏହା ସର୍ବାଧିକ ମତଦାନ ଅଟେ । ୨୦୧୧ରେ ୮୪ ପ୍ରତିଶତ ମତଦାନ ହୋଇଥିଲା ଏବଂ ସେତେବେଳେ ମମତା ବାନାର୍ଜୀ ନୂତନ ସରକାର ଗଢ଼ିଥିଲେ । ୩୪ ବର୍ଷର ବାମ ଦଳର ସରକାର ଭାଙ୍ଗିଥିଲା ।