କୋଲକାତା: ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସହିତ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି । ବିଜେପି ଶାସକ ଟିଏମସି ଦଳ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛି । ଟିଏମସି ଭୋଟ୍ ହାସଲ କରିବାକୁ ଇଭିଏମ୍ ମେସିନ ଟ୍ୟାମ୍ପରିଂ କରିଛି । ଜାଣିଶୁଣି ଇଭିଏମ୍ ମେସିନରେ ଥିବା ବିଜେପିର ପଦ୍ମ ଚିହ୍ନକୁ ସେଲୋଟେପ୍ ମାରି ଲୁଚାଇ ଦିଆଯାଇଛି ବୋଲି ବିଜେପି ଅଭିଯୋଗ କରିଛି ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ସମୟରେ ବିଜେପି ଆଇଟି ସେଲ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ମାଲବୀୟ ଅଭିଯୋଗ କରିଛନ୍ତି ଡାଇମଣ୍ଡ ହାର୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଫାଲତାର ଅନେକ ବୁଥ୍ରେ ଭୋଟରମାନଙ୍କୁ ବିଜେପି ସପକ୍ଷରେ ଭୋଟ ଦେବାରୁ ବାରଣ କରାଯାଇଛି ।
ଅମିତ ମାଲବୀୟ ଏହାକୁ 'ଡାଇମଣ୍ଡ ହାର୍ବର ମଡେଲ୍' ବୋଲି କହିଛନ୍ତି । ପ୍ରଭାବିତ ବୁଥ୍ରେ ପୁନଃ ମତଦାନ କରିବାକୁ ସେ ଦାବି କରିଛନ୍ତି । ଅମିତ ଦାବି କରିଛନ୍ତି ଯେ ଜାଣିଶୁଣି ବିଜେପି ପାଇଁ ଉଦ୍ଦିଷ୍ଟ ବଟନ୍ ରେ ଟେପ୍ ଲଗାଇ ଲୁଚାଇ ଦିଆଯାଇଛି । ଫାଲଟା ଆସନ ଅନ୍ତର୍ଗତ କେତେକ ବୁଥର ଇଭିଏମରେ ବିଜେପି ବଟନକୁ ଟେପ୍ ଲଗାଇ ଦିଆଯାଇଛି । ସେ ଏକ ଭିଡିଓ ସେୟାର୍ କରି ଏଭଳି ଅଭିଯୋଗ କରିଛନ୍ତି। ସୋସିଆଲ୍ ମିଡିଆରେ ଏପରି ଏକ ଫଟୋ ମଧ୍ୟ ଭାଇରାଲ ହେଉଛି । ତେବେ ଉକ୍ତ ଫଟୋ ଏବଂ ମାଲବୀୟଙ୍କ ଅଭିଯୋଗର କେତେ ସତ୍ୟାସତ୍ୟ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇଛି ।
ସେହିପରି ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଅନେକ ସ୍ଥାନରେ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଛାପ୍ରା, ଶାନ୍ତିପୁର, ଭାଙ୍ଗର ଏବଂ ଏଣ୍ଟାଲି ସମେତ ବିଭିନ୍ନ ସ୍ଥାନରେ ହିଂସା ହୋଇଛି ।