ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ଜେଏମଏଫସି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସୁଧୀରଙ୍କ ପୁତୁରା ତୁଷାର ପାତ୍ର, ଝିଆରୀ ନିବେଦିତା ପାତ୍ର, କାଳୁଚରଣ ପ୍ରଧାନ ଏବଂ ସୂର୍ୟ୍ୟପ୍ରତାପ ।
ପୋଲିସ ୨ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିବାବେଳେ କୋର୍ଟ ୨୪ ଘଣ୍ଟା ପାଇଁ ଅନୁମତି ଦେଇଛନ୍ତି । ଆଜି ଅପରାହ୍ନ ୪ଟାରୁ ଆସନ୍ତାକାଲି ଅପରାହ୍ନ ୪ଟା ଯାଏଁ ୪ ଜଣ ଅଭିଯୁକ୍ତ ରିମାଣ୍ଡରେ ରହିବେ । ତେବେ ଏହି ରିମାଣ୍ଡରେ ପୋଲିସ ପୁତୁରା ଓ ଝିଆରୀଙ୍କଠାରୁ ସତ ଓଗାଳିବାକୁ ଚେଷ୍ଟା କରିବ ।
ଅନ୍ୟପକ୍ଷେ ଗଞ୍ଜାମ ଏସପି କହିଛନ୍ତି ଯେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ସରିଛି । ବଳିଷ୍ଠ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଟଙ୍କା ପାଇଁ ସୁଧୀରଙ୍କୁ ହତ୍ୟା କରାଯାଇଥିବା ଏସପି ସ୍ପଷ୍ଟ କରିଛନ୍ତି ।
ସୂଚନା ମୁତାବକ, ଗତ ୧୫ ତାରିଖରେ ସୁଧୀର ପାତ୍ର ଭଲିବଲ୍ ଖେଳିବାକୁ ଭାବିନାରାୟଣପୁର ପଡ଼ିଆକୁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରି ନିଆଯାଇଥିଲା । ବୁଗୁଡ଼ାରେ ତାଙ୍କୁ ହତ୍ୟା କରି ରାଶିପଙ୍କାଳରେ ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ସୁଧୀରଙ୍କ ଝିଆରି ନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କ ସମେତ ୯ ଅଭିଯୁକ୍ତ ସାମିଲ ଅଛନ୍ତି । କାଳୁଚରଣ ନିବେଦିତାଙ୍କ ପୁରୁଷ ବନ୍ଧୁ । ଏହି ମାମଲାରେ ପୋଲିସ ସିନ୍ ରିକ୍ରିଏସନ୍ ମଧ୍ୟ କରିସାରିଛି ।