ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଦିନିକିଆ ଅଧିବେଶନ ବସିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ମହିଲା ସଂରକ୍ଷଣ ବିଧେୟକ ପ୍ରସ୍ତାବ ଉପରେ ଆଲୋଚନା ହେବାର ସୂଚନା ରହିଛି । ଦିନିକିଆ ଅଧିବେଶନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୩୦ ତାରିଖରେ ଓଡିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ । ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ମାତ୍ର ଦିନକ ପାଇଁ ବସିବ ଏହି ସ୍ୱତନ୍ତ୍ର ଅଧିବେଶନ । ବିଧାନସଭାରେ ଦିନ ୧୧ଟାରେ ଏହି ସ୍ୱତନ୍ତ୍ର ଅଧିବେଶନ ବସିବ । ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଆଲୋଚନା ହେବ ।
ଦିନିକିଆ ଅଧିବେଶନ ପାଇଁ ସମ୍ପୂର୍ଣ୍ଣ ବିଧାନସଭାକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା । ସୁରକ୍ଷାରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ସ୍ପେଶାଲ୍ ଟାସ୍କ ୟୁନିଟ୍, ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ ବିଭାଗ ଟିମ୍ ମୁତୟନ ରହିବେ । ସେପଟେ ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଲୋୟର ପିଏମ୍ଜିଠାରେ ୧୪୪ ଧାରା ଜାରି କରାଯିବ । ଆଜି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ବିଧାନସଭା ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ବିଧେୟକ ଆଗତ କରିଥିଲେ । ମାତ୍ର ଏହି ବିଲ୍ ବହୁମତ ପାଇବାରେ ବିଫଳ ହେବାରୁ ବିଧେୟକ କାଟ୍ ଖାଇଥିଲା ।