ଅନୁଗୁଳ: ମହିଳା ହାବିଲଦାରଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିଜର୍ଭ ଇନସ୍ପେକ୍ଟର ଗୋବିନ୍ଦ ମାହାରୀଙ୍କ ବଦଳି ହୋଇଛି । ଅନୁଗୁଳ ଏସପିଙ୍କ ସୁପାରିଶ ଆଧାରରେ ପୋଲିସ ଡିଜି ଅନୁଗୁଳ ଜିଲ୍ଲାରୁ କଳାହାଣ୍ଡି ନବମ ଆଇଆରବିକୁ ଗୋବିନ୍ଦ ମାହାରୀଙ୍କ ବଦଳି କରିଛନ୍ତି । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ ଆରଆଇ ଗୋବିନ୍ଦ ମାହାରୀ ଏବଂ ରାଇଟର୍ ଶୁଭକାନ୍ତ ସାହୁଙ୍କ ବିରୁଦ୍ଧରେ ମାନସିକା ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଆରଆଇ ଓ ଅନ୍ୟ ଜଣେ କର୍ମଚାରୀ ସୁମିତ୍ରାଙ୍କୁ ଆବଶ୍ୟକ ସମୟରେ ଛୁଟି ଦେଉ ନ ଥିଲେ । ଏମିତି କୌଣସି କାମ ନଥାଇ କାର୍ଯ୍ୟାଳୟକୁ ଡାକି ଘଣ୍ଟା ଘଣ୍ଟା ଛିଡ଼ା କରାଉଥିଲେ । ଏ ନେଇ ଉପରସ୍ଥ ଅଧିକାରୀଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଶେଷରେ ସେ ଇସ୍ତଫା ଦେବା ସହିତ ଅନୁଗୁଳ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ ବିଭିନ୍ନଆଡ଼ୁ ସମାଲୋଚନା ଏବଂ ଚାପ ବଢ଼ିବା ପରେ ସମ୍ପୃକ୍ତ ଆରଆଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବଦଳି କରାଯାଇଛି ।