ପୁରୀ: ଚନ୍ଦନ ଯାତ୍ରା ବିଭ୍ରାଟ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନରେନ୍ଦ୍ରରେ ଚାପ ଖେଳି ନ ପାରି ଫେରିଯାଇଛନ୍ତି ମଦନ ମୋହନ । ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି ଚନ୍ଦନ ଯାତ୍ରା ବିଭ୍ରାଟ ପ୍ରସଙ୍ଗରେ ତର୍ଜମା କରାଯାଉଛି । ମୁଖ୍ୟ ପ୍ରଶାସକ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେପଟେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଛି । ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏନେଇ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରବଳ ପବନ ଯୋଗୁଁ ଦିନ ଚାପ ଅସମ୍ଭବ ଥିଲା । ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରାତି ଚାପ ହୋଇପାରିନଥିଲା । ବିଭ୍ରାଟ ପରେ ସେବାୟତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚାପକୁ ଶୃଙ୍ଖଳିତ କରିବାକୁ ସେବାୟତମାନେ ପ୍ରତିଶ୍ରୁତି ଦେଇଛନ୍ତି । ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ନବମ ଦିବସରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳ ହୋଇପାରିନଥିଲା । ରାତି ଚାପ ପାଇଁ ଠାକୁରେ ନନ୍ଦା ଭଦ୍ରାରେ ବିଜେ ହୋଇସାରିଥିଲେ। ରାତି ଦଶଟାରେ ପ୍ରାୟ ଜଳକ୍ରୀଡ଼ା ପାଇଁ ଚାପରୁ ଦଉଡ଼ି ମଧ୍ୟ ଖୋଲା ସରିଥିଲା। କିଛି କ୍ଷଣ ଭିତରେ ଠାକୁରଙ୍କ ଚାପ କ୍ରୀଡ଼ା ହୋଇଥାନ୍ତା। ହେଲେ ଦୁଇ ଭିନ୍ନ ନୀତି ସେବକଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ହୋଇ ଠାକୁରଙ୍କ ଚାପ ଅଟକିଗଲା। ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନ ହେବାରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିର ଫେରିଯାଇଥିଲେ ।