ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଗୋ-ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଗୋ-ଚାଲାଣକୁ ଅଟକାଉଥିବାବେଳେ ମାଫିଆଙ୍କ ଦ୍ୱାରା ଗୁଳି ମାଡ଼ର ଶୀକାର ହୋଇଛନ୍ତି ଜଣେ ଗୋ-ରକ୍ଷକ । ସେ ହେଲେ ବୈଶିଙ୍ଗା ଅଞ୍ଚଳର ରମେଶ ବିଶ୍ୱାଳ ଅରଫ୍ ଦିପୁ । ସେ ବର୍ତ୍ତମାନ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଯୁଗପୁରା ଜାମନଣ୍ଡା ରାସ୍ତାରେ ଏକ ଗାଡ଼ିରେ ଗୋରୁ ଚାଲାଣ ହେଉଥିବା ଖବର ମିଳିଥିଲା । ମାଫିଆମାନେ ଗାଈଗୁଡ଼ିକୁ ଏକ ଡାଲା ଅଟୋରେ ଭର୍ତ୍ତି କରି ମୁଖ୍ୟ ରାସ୍ତାରେ ନ ଯାଇ ଗାଁ ରାସ୍ତାରେ ଯାଉଥିଲେ । ଏହି ସମୟରେ ଗୋ-ରକ୍ଷକମାନେ ତାଙ୍କ ପିଛା କରିଥିଲେ । ତେବେ ଗୋ-ମାଫିଆ ତାଙ୍କ ଗାଡିକୁ କେହି ପିଛା କରୁଥିବା ଜାଣି ଅତର୍କିତ ଗୁଳିମାଡ କରିଥିଲେ। ଆଉ ଏହି ଗୁଳିମାଡରେ ରମେଶ ଗୁରୁତର ହୋଇ ପଡ଼ିଥିଲେ ।
ଖବର ପାଇ ବୈଶିଙ୍ଗା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚିଛି । ପୋଲିସ ଏକ ପୋଡ଼ା ଯାଇଥିବା ଅଟୋକୁ ଜବତ କରିଛି । ଗୋ-ମାଫିଆମାନେ ଫେରାର ହୋଇଯାଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।