ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ କେଉଁ ଦିଗକୁ ଯାଉଛି, ତାହାର କିଛି ସ୍ପଷ୍ଟତା ନାହିଁ। ଆଲୋଚନା ଟେବୁଲରେ ବସି ଦୁଇ ପକ୍ଷ ପରସ୍ପରକୁ ଧମକ ଦେଉଛନ୍ତି। ଏହାରି ଭିତରେ ଟ୍ରମ୍ପ ଆଉ ପାଦେ ଆଗକୁ ଯାଇ ଏମିତି କିଛି କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କୌଣସି ଦେଶର ରାଷ୍ଟ୍ରମୁଖ୍ୟ କରିନଥିବେ କି ସମ୍ଭବାତଃ ଆଗକୁ କରିବେ ନାହିଁ। ଦୁଇ ପଟୁ ଚାଲିଥିବା ବୟାନବାଜୀ ଭିତରେ ଟ୍ରମ୍ପ ତାଙ୍କ ଘରୋଇ ସୋସିଆଲ ଆପ୍ ଟ୍ରୁଥ୍ ରେ ଗୋଟିଏ ଏଡିଟେଡ୍ ଫଟୋ ଛାଡ଼ିଛନ୍ତି। ଯେଉଁଥିରେ ଟ୍ରମ୍ପଙ୍କୁ ହଲିଉଡ୍ ମାର୍କା ହିରୋ ଭାବେ ହାତରେ ବନ୍ଧୁକ ଧରିଥିବା ଦେଖାଯାଇଛି। ଆଉ ତାଙ୍କ ଚାରିପଟେ ବୋମା ଫୁଟୁଛି। ଫଟୋ ସହିତ ଟ୍ରମ୍ପ ଲେଖିଛନ୍ତି.. ନୋ ମୋର ନାଇସ୍ ଗାୟ.. ମାନେ ଆଉ ହେବିନି ଭଦ୍ରଲୋକ। ଯାହାର ଅର୍ଥ ହେଲା,ଯାହା ହେବା କଥା ହେଇଯାଇଛି,ଏଥର ମୁଁ ଇରାନକୁ ତାରି ଭାଷାରେ ଜବାବ ଦେବି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ନିଜର ଆଭିମୁଖ୍ୟ ଆହୁରି କଡ଼ା କରିଦେଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଚେତାବନୀ ଦେଇ କହିଛନ୍ତି ଯେ ଇରାନକୁ ଶୀଘ୍ର ପରମାଣୁ ନିରସ୍ତ୍ରୀକରଣ ଚୁକ୍ତିରେ ସ୍ୱାକ୍ଷର କରିବାକୁ ପଡ଼ିବ, ନଚେତ୍ ତାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ। ଟ୍ରମ୍ପ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ଇରାନ ସଠିକ୍ ଉପାୟରେ ବୁଝାମଣା କରିବା ଜାଣି ନାହିଁ ଏବଂ ତାକୁ ଶୀଘ୍ର ବୁଦ୍ଧିମତା ଦେଖାଇବା ଉଚିତ। ଟ୍ରମ୍ପଙ୍କ ପୋଷ୍ଟ ବେଶ୍ ନାଟକୀୟ, ଯେଉଁଥିରେ ସେ ଏକ ବନ୍ଧୁକ ସହିତ ବାରୁଦ ନିଆଁ ମଧ୍ୟରେ ନଜର ଆସୁଛନ୍ତି।
ଟ୍ରମ୍ପଙ୍କ ନୂଆ ଧମକ
ଟ୍ରମ୍ପ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ଇରାନ ସଠିକ୍ ଉପାୟରେ ବୁଝାମଣା କରିବା ଜାଣି ନାହିଁ ଏବଂ ତାକୁ ଶୀଘ୍ର ବୁଦ୍ଧିମତା ଦେଖାଇବା ଉଚିତ। ଏହି ପୋଷ୍ଟ ସହିତ ଏକ ଫଟୋ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ଟ୍ରମ୍ପ ଅସ୍ତ୍ରଶସ୍ତ୍ର ସହିତ ନଜର ଆସୁଛନ୍ତି ଏବଂ ‘NO MORE MR. NICE GUY!’ ଲେଖା ହୋଇଛି, ଯାହା ତାଙ୍କର କଠୋର ଆଭିମୁଖ୍ୟକୁ ଦେଖାଉଛି।
ଇରାନର ପ୍ରସ୍ତାବରେ ଅସନ୍ତୁଷ୍ଟ ଆମେରିକା
ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଇରାନ ହୋର୍ମୁଜ ପ୍ରଣାଳୀ (ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ) କୁ ଖୋଲିବା ଏବଂ ଯୁଦ୍ଧ ଶେଷ କରିବାର ପ୍ରସ୍ତାବ ଦେଇଛି। ତେବେ, ଆମେରିକା ଏହି ପ୍ରସ୍ତାବକୁ ନେଇ ସମ୍ପୂର୍ଣ୍ଣ ଆଶ୍ୱସ୍ତ ନାହିଁ ଏବଂ ଟ୍ରମ୍ପ ଏଥିରେ ସନ୍ତୁଷ୍ଟ ଜଣାପଡ଼ୁ ନାହାନ୍ତି। ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଇରାନର ପ୍ରସ୍ତାବ ପୂର୍ବ ଅପେକ୍ଷା ଭଲ, କିନ୍ତୁ କୌଣସି ବି ବୁଝାମଣ ଏପରି ହେବା ଉଚିତ ଯାହାଦ୍ୱାରା ଇରାନ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବା ଦିଗରେ ଆଗକୁ ବଢ଼ି ନ ପାରିବ। ଇରାନ ଏହା ଉପରେ ରାଜି ନାହିଁ।
ହୋର୍ମୁଜ ଉପରେ ଧମକ ଦେଇସାରିଛି ଇରାନ
ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ରଜା ତଲାୟୀ-ନିକ୍ ଆମେରିକାର ଦାବିଗୁଡ଼ିକୁ ବେଆଇନ ଏବଂ ଭୁଲ୍ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଏବେ ଆମେରିକା କୌଣସି ସ୍ୱାଧୀନ ଦେଶ ଉପରେ ନିଜର ସର୍ତ୍ତ ଲଦିପାରିବ ନାହିଁ। ମଙ୍ଗଳବାର ଦିନ ଟ୍ରମ୍ପ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଆମେରିକା ଇରାନକୁ ସାମରିକ ଭାବେ ହରାଇ ଦେଇଛି ଏବଂ ସେ କେବେ ବି ଇରାନକୁ ପରମାଣୁ ଅସ୍ତ୍ରଶସ୍ତ୍ର ହାସଲ କରିବାକୁ ଦେବେ ନାହିଁ। ଏହି ସମୟରେ ବ୍ରିଟେନର ରାଜା କିଙ୍ଗ ଚାର୍ଲ୍ସ III ମଧ୍ୟ ଥିଲେ। ତେବେ ଏହାର ତୁରନ୍ତ ପରେ ଇରାନ ଧମକ ଦେଲା ଯେ ଯଦି ଆମେରିକା କୌଣସି ପ୍ରକାରର ଭୁଲ୍ ପଦକ୍ଷେପ ଉଠାଇବ ତେବେ ତା’ର ଜାହାଜ ସମୁଦ୍ରରେ ଜଳୁଥିବା ଦେଖାଯିବ।