ନୂଆଦିଲ୍ଲୀ: ମିଳିତ ଜାତିସଂଘର ନେତୃତ୍ୱରେ ପରମାଣୁ ଅପ୍ରସାର ସଂନ୍ଧିର ଏକ ମାସ ପର୍ଯ୍ୟନ୍ତ ହେବାକୁ ଥିବା ବୈଠକ ଆରମ୍ଭ ହୋଇ ଯାଇଛି । ବୈଠକ ଆରମ୍ଭରେ ୩୪ ଦେଶର ପ୍ରତିନିଧିଙ୍କୁ ଉପାଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଏଥିରେ ଇରାନର ନାଁ ମଧ୍ୟ ସାମିଲ୍ । ଆମେରିକାର ତୀବ୍ର ବିରୋଧ ପରେ ବି ଇରାନକୁ ଏନଟିପିର ଆଭ୍ୟନ୍ତରୀଣ ଉପାଧ୍ୟକ୍ଷ ପଦ ମିଳିଛି । ଏନଟିପିରେ ଅଧ୍ୟକ୍ଷ ଏବଂ ୩୪ ଉପାଧ୍ୟକ୍ଷ ୫ ବର୍ଷରେ ଥରେ ଚୟନ କରାଯାଏ । ଅଧ୍ୟକ୍ଷ ପଦ ଭିଏତନାମକୁ ମିଳିଛି, ଯିଏ ରୁଷ ଓ ଚୀନର ନିକଟତର ।
ସମ୍ବାଦ ସଂସ୍ଥା ରଏଟର୍ସ ଅନୁଯାୟୀ, ଆମେରିକା ଏହାକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ୧୨୧ ଦେଶର ସମର୍ଥନରେ ଇରାନ ଏହି ସ୍ଥାନ ସୁରକ୍ଷିତ କରି ପାରିଛି । ଇରାନ କହିଛି ଯେ ଏହାର ନେତା ସର୍ବଦା ପରମାଣୁ ଅସ୍ତ୍ରଶସ୍ତ୍ରକୁ ବିରୋଧ କରିଆସିଛନ୍ତି। ଆମେରିକା ଇରାନ ବିଷୟରେ ସାରା ବିଶ୍ୱରେ ମିଥ୍ୟା ପ୍ରଚାର କରୁଛି।
ପରମାଣୁ ଅପ୍ରସାର ଚୁକ୍ତିନାମାର ଅଧ୍ୟକ୍ଷ ହେଙ୍ଗ ଭିଏଟଙ୍କ ଅନୁଯାୟୀ, ଅସହଯୋଗୀ ଦେଶମାନେ ଇରାନକୁ ସମର୍ଥନ କରିଥିଲେ। ୟୁଏଇ ଏବଂ ଆମେରିକା ଭଳି ଦେଶ ଏହାକୁ ବିରୋଧ କରିଥିଲେ, କିନ୍ତୁ ତାହା ପ୍ରଭାବହୀନ ପ୍ରମାଣିତ ହୋେଇଛି । ଫଳସ୍ୱରୂପ, ଇରାନକୁ ଉପାଧ୍ୟକ୍ଷ ପଦବୀ ମିଳିଛି ।
ଏକ ବିବୃତ୍ତିରେ, ଆମେରିକାର ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ଅପ୍ରସାରଣ ବ୍ୟୁରୋର ସହାୟକ ସଚିବ କ୍ରିଷ୍ଟୋଫର ୟୁ ଏହାକୁ NPT ପ୍ରତି ଅପମାନ ବୋଲି କହିଛନ୍ତି। ୟୁଙ୍କ ଅନୁଯାୟୀ, ଇରାନ ଦୀର୍ଘ ସମୟ ଧରି ପରମାଣୁ ଅପ୍ରସାର ନୀତି ପ୍ରତି ତାର ପ୍ରତିଶ୍ରୁତିବଦ୍ଧତା ପ୍ରତି ଅଣଦେଖା ପ୍ରଦର୍ଶନ କରିଆସିଛି। ତେଣୁ, ଏହାର ଚୟନ ଅତ୍ୟନ୍ତ ଲଜ୍ଜାଜନକ।
ୟୁ ଆହୁରି କହିଛନ୍ତି ଯେ ଏହା ଏକ ଲଜ୍ଜାଜନକ ନିଷ୍ପତ୍ତି ଏବଂ NPTର ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରିପାରେ। ଏହି ସମୟରେ, ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ଇରାନର ପ୍ରତିନିଧି ରେଜା ନଜାଫି ଆମେରିକାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।