ନୂଆଦିଲ୍ଲୀ: ବୈଶ୍ୱିକ ମଞ୍ଚରେ ନିଜକୁ ମଧ୍ୟସ୍ଥତା ସଜାଇଥିବା ପାକିସ୍ତାନ ସାମ୍ନାରେ ଏକ ଗମ୍ଭୀର ସଙ୍କଟ ଉପୁଜିଛି । ପାକିସ୍ତାନର ଉର୍ଜା ଓ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏମିତି ଏକ ବୟାନ ଆସିଛି ଯେଉଁଥିରେ ପୂରା ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଛି । ସରକାର ସ୍ୱୀକାର କରିଛନ୍ତି ଯେ, ଦେଶରେ ମାତ୍ର ୫-୭ ଦିନ ପାଇଁ ଅଶୋଧିତ ତୈଳ ରହିଛି । ଡିଜେଲ୍ ଓ ଏଲପିଜି ପରି ଅନ୍ୟ ଇନ୍ଧନ ମଧ୍ୟ କିଛି ସପ୍ତାହରେ ସରିପାରେ।
ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ହେବାରୁ ପାକିସ୍ତାନରେ ଏମିତି ସ୍ଥିତି ଉପୁଜିଛି । ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ବଢିବା କାରଣରୁ ଇରାନ ହର୍ମୁଜକୁ ବାଣିଜ୍ୟିକ ଜାହାଜ ପାଇଁ ପ୍ରାୟତଃ ବନ୍ଦ କରି ଦେଇଛି । ଦୁନିଆର ପ୍ରାୟ ୨୦ ପ୍ରତିଶତ ଅଶୋଧିତ ତୈଳ ଏହି ଜଳମାର୍ଗ ଦେଇ ଗତି କରିଥାଏ । ପାକିସ୍ତାନ ନିଜର ଇନ୍ଧନ ଆବଶ୍ୟକତା ପାଇଁ ମୁଖ୍ୟତଃ ଉପସାଗରୀୟ ଦେଶ ସାଉଦି ଆରବ, କୁଏତରୁ ହେଉଥିବା ଆମଦାନୀ ଉପରେ ନିର୍ଭର । ଜଳମାର୍ଗ ଅବରୋଧ ହେବା ଏବଂ ଜାହାଜର ଅଭାବ କାରଣରୁ ଯୋଗାଣ ଶୃଙ୍ଖଳ ବିପର୍ଯ୍ୟସ୍ତ ହୋଇ ପଡିଛି ।
ପାକିସ୍ତାନର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଅଲୀ ପରଭେଜ ଇନ୍ଧନ ଭଣ୍ଡାରକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ସମା ଟିଭିର କାର୍ଯ୍ୟକ୍ରମରେ ସେ ଚେତାବନୀ ଦେଇଛନ୍ତି ଯେ, ଏହି ଯୁଦ୍ଧ ଶୀଘ୍ର ସରିବାର କୌଣସି ସଙ୍କେତ ମିଳୁନି । ଏଥିରେ ବୈଶ୍ୱିକ ଉର୍ଜା ବଜାରରେ ବହୁତ ଅନିଶ୍ଚିତତା ଦେଖା ଦେଇଛି । ବର୍ତ୍ତମାନ ଦେଶରେ କେବଳ ୫ରୁ ୭ ଦିନର ଅଶୋଧିତ ତୈଳ ରହିଛି । ଏଥିରୁ ଆହୁରି ଚିନ୍ତାଜନକ କଥା ପାକିସ୍ତାନ ପାଖରେ ଗୋଟିଏ ଦିନର ପେଟ୍ରୋଲ ରିଜର୍ଭ ନାହିଁ । ଡିଜେଲ ଷ୍ଟକ ୨୬-୨୮ ଦିନ ଓ ଏଲପିଜି ୧୫ ଦିନ ପାଇଁ ମହଜୁଦ ରହିଛି।
କୋଭିଡ ସମୟ ପରି କଟକଣା ଲଗାଇବାକୁ ପ୍ରସ୍ତୁତି
ଇନ୍ଧନ ବଞ୍ଚାଇବା ପାଇଁ ଶେହବାଜ ସରିଫ ସରକାର ବହୁତ କଠୋର ପଦକ୍ଷେପ ନେବା ଉପରେ ବିଚାର କରିବାକୁ ପଡିବ । ମିଡିଆ ରିପୋର୍ଟ ଅନୁଯାୟୀ, ପେଟ୍ରୋଲ-ଡିଜେଲ ଖର୍ଚ୍ଚ କମ କରିବା ପାଇଁ ଦେଶରେ ଲକଡାଉନ ପରି ନିୟମ ଲାଗୁ କରାଯାଇପାରେ । କର୍ପୋରେଟ୍ ଓ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ । ସ୍କୁଲ ଓ କଲେଜ ବନ୍ଦ କରି ଶିକ୍ଷାକୁ ପୁଣି ଥରେ ଅନଲାଇନ ମୋଡରେ ସିଫ୍ଟ କରିବାକୁ ଯୋଜନା କରାଯାଉଛି । ଲୋକଙ୍କୁ ବ୍ୟକ୍ତିଗତ ଗାଡି ବ୍ୟବହାର କମ କରିବାକୁ ଅପିଲ୍ କରାଯାଉଛି ।