ଭଦ୍ରକ ଜିଲ୍ଲା ଜାମୁଝାଡି ବାସୁଦେବପୁର ରାସ୍ତାର ମାତାଜୀ ମଠ ବରଫ କଳ ସାମ୍ନାରେ ଅଭାବନୀୟ ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସକୁ ଟ୍ରକ୍ ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୨ ଜଣ ଗରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।
ସୂଚନା ମୁତାବିକ ଆଜି (ମଙ୍ଗଳବାର) ଧାମରାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଡ଼ାଇନା ନାମକ ଏକ ଘରୋଇ ବସ ବାସୁଦେବପୁର ଜାମୁଝାଡ଼ି ରାସ୍ତାର ମାତାଜୀ ମଠ ନିକଟ ବରଫ କଳ ପାଖରେ ଖରାପ ହୋଇଯାଇଥିଲା।ଚାଳକ ମିସ୍ତ୍ରୀଙ୍କୁ ଡାକି ମରାମତି କାମ କରାଉଥିବା ସମୟରେ, ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ହଠାତ୍ ବସକୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ଗାଡି ତଳେ କାମ କରୁଥିବା ମିସ୍ତ୍ରୀ ଓ ତାର ହେଲପର ଗୁରୁତର ହୋଇଥିଲେ। ତୁରନ୍ତ ପାଖରେ ଥିବା ବସ ଡ୍ରାଇଭର ୨ ଜଣଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିବା ସୂଚନା ମିଳିଛି।
ସେହିପରି ନୟାଗଡ଼ ଜିଲ୍ଲାରେ ମଧ୍ୟ ଆଜି ଦେଖିବାକୁ ମିଳିଲା ଆଉ ଗୋଟିଏ ଭୟାବହ ଦୃଶ୍ୟ। ଖଣ୍ଡପଡ଼ା ରାସ୍ତାର ଖେଡ଼ପଡ଼ା ନିକଟରେ “ବେବୀ” ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡ଼ିଥିଲା। ବସରେ ୫୦ରୁ ଅଧିକ ଯାତ୍ରୀ ଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନେଇ ଭର୍ତି କରାଯାଇଛି। ଆଜି ଗୋଟିଏ ଦିନରେ ଏମିତି ଦୁର୍ଘଟଣା ପୁଣିଥରେ ସଡ଼କ ସୁରକ୍ଷାକୁ ପ୍ରଶ୍ନବାଚୀ ଉଠାଇଛି।
ଅଧିକ ପଢନ୍ତୁ: ଅଶୁଭ ସୋମବାର: ଦିନକରେ ଦୁର୍ଘଟଣାରେ ୭ ମୃତ, ଏକାଧିକ ଆହତ