ମଧୁ ବାବୁଙ୍କୁ ଓଡ଼ିଆ ଜାତିର ପିତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ଆଜି ହେଉଛି ସେହି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ। ଏଥିପାଇଁ ଚଳଚଞ୍ଚଳ ହୋଇଛି ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲାର ସତ୍ୟଭାମାପୁର। ପ୍ରଥମ ଓଡ଼ିଆ ଭାବେ ବିଦେଶ ଯାଇ ପାଠ ପଢିଥିବା ଉତ୍କଳ ଗୌରବ, ରାଜ୍ୟ ବାହାରେ ଏମିତିକି ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରିବାର ସବୁ ସୁଯୋଗକୁ ଏଡାଇ ଯାଇ ନିଜ ଜନ୍ମଭୂମିକୁ କର୍ମକ୍ଷେତ୍ର କରିବାର ସଂକଳ୍ପ ନେଇ ଓଡ଼ିଶା ଫେରି ଆସିଥିଲେ। ଜନ୍ମମାଟି ସତ୍ୟଭାମାପୁର ଓ କଟକ ସହର ପାଲଟିଥିଲା ତାଙ୍କ କର୍ମକ୍ଷେତ୍ର।
ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେଉ କିମ୍ବା ଓଡ଼ିଶାର ଅସ୍ମିତା ଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାର ସୁରକ୍ଷା, ଓଡ଼ିଆ ଜାତିର ଅସ୍ତିତ୍ବ ପ୍ରତି ସୃଷ୍ଟି ହୋଇଥିବା ଅନେକ ବିପଦ ସମୟରେ ମଧୁବାବୁ ଚଟାଣ ଭଳି ସାମ୍ନାରେ ରହି ସୁରକ୍ଷା କବଚ ପାଲଟିଥିଲେ। ଏ ଜାତି ଗୋଟିଏ ସମୟରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ପୁଣ୍ୟତିଥି ପାଳନକୁ ବି ଭୁଲି ଯାଇଥିଲା। ଉତ୍କଳ ଗୌରବଙ୍କ ୧୫୦ତମ ଜୟନ୍ତୀ ପରେ ଯାଇ ଏ ଦିଗରେ ବିଧିବଦ୍ଧ ପ୍ରୟାସ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସତେ ଯେମିତି ଜୟନ୍ତୀ ଓ ପୁଣ୍ୟତିଥି ପାଳନରେ ସୀମିତ ରହିଯାଇଛି ଉତ୍କଳ ଗୌରବଙ୍କ ପ୍ରତି ଏ ଜାତିର ଋଣ ପରିଶୋଧ।