ସମଗ୍ର ଭାରତ ଏବେ ତାପର ତାଣ୍ଡବରେ ଜଳୁଛି। ଏପ୍ରିଲ୍ ମାସରୁ ହିଁ ଯେମିତି ମେ’ର ରୁଦ୍ର ରୂପ ଦେଖାଯାଉଛି। ସୂର୍ଯ୍ୟଙ୍କ ପ୍ରକୋପ ଦିନକୁ ଦିନ ଭୟାବହ ରୂପ ନେଉଥିବା ବେଳେ ଏକ ଚାଞ୍ଚଲ୍ୟକର ତଥ୍ୟ ସମସ୍ତଙ୍କୁ ଆତଙ୍କିତ କରିଦେଇଛି। ଭାରତ ଏବେ ବିଶ୍ୱର ‘ଗ୍ଲୋବାଲ୍ ହିଟ୍ ଏପିକସେଣ୍ଟର’ରେ ପରିଣତ ହୋଇଛି।
ରିପୋର୍ଟ ଅନୁଯାୟୀ, ପୃଥିବୀର ୧୦୦ଟି ସର୍ବାଧିକ ଉତ୍ତପ୍ତ ସହର ମଧ୍ୟରୁ ୯୫ଟି କେବଳ ଭାରତରେ ଅବସ୍ଥିତ। ଏହି ତଥ୍ୟ ମାତ୍ର ଗଣନା ନୁହେଁ, ବରଂ ଏକ ଭୟଙ୍କର ସତର୍କ ସଙ୍କେତ। ଉତ୍ତର, ମଧ୍ୟ ଓ ପୂର୍ବ ଭାରତରେ ଆକାଶରୁ ନିଆଁ ବର୍ଷୁଥିବା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ପାରଦ ୪୫ ଡିଗ୍ରୀ ସେଲସିୟସ୍କୁ ଅତିକ୍ରମ କରିଛି, ଯାହା ଲୋକଙ୍କ ଜୀବନକୁ ଅସହ୍ୟ କରିଦେଇଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମେତ ଝାରସୁଗୁଡା, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ତାପମାତ୍ରା ରେକର୍ଡ ଛୁଇଁଛି। ଦିନବେଳେ ଘରୁ ବାହାରିବା ମାନେ ଅଗ୍ନିପରୀକ୍ଷା। ଝାଞ୍ଜି ପବନ ଓ ତୀବ୍ର ଖରା ଲୋକଙ୍କୁ ଅସହାୟ କରୁଥିବା ବେଳେ ଅଂଶୁଘାତର ଆଶଙ୍କା ବଢ଼ିଛି।
ବିଶେଷଜ୍ଞମାନେ କହୁଛନ୍ତି,ଏଲ୍-ନିନୋ ପ୍ରଭାବ, ବଢ଼ୁଥିବା ପ୍ରଦୂଷଣ, ସବୁଜ ଆବରଣର ହ୍ରାସ ଓ ଅତ୍ୟଧିକ ସହରୀକରଣ ଏହି ଭୟଙ୍କର ପରିସ୍ଥିତି ପଛରେ ମୂଳ କାରଣ। ପୂର୍ବରୁ ଏପ୍ରିଲ୍ ମାସରେ ମଧ୍ୟମ ତାପମାତ୍ରା ଅନୁଭୂତ ହେଉଥିବା ବେଳେ ଏବେ ସେହି ସୀମା ଭାଙ୍ଗି ରେକର୍ଡ ସ୍ତରକୁ ପହଞ୍ଚିଛି।
India Meteorological Department (IMD ) ଅନୁଯାୟୀ, ଏପ୍ରିଲ୍ ୨୮ ପରେ କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଥିଲେ ମଧ୍ୟ, ମେ’ ମାସରେ ଏହି ତାପ ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହି ଭୟାବହ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ସତର୍କତା ଜାରି କରିଛି ଯେ, ଅତ୍ୟାବଶ୍ୟକ ନହେଲେ ଘରୁ ବାହାରନ୍ତୁନି, ପର୍ଯ୍ୟାପ୍ତ ପାଣି ପିଉନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
ଅଧିକ ପଢନ୍ତୁ: ପାଣିପାଗ: ଉତ୍ତରପ୍ରଦେଶରେ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ; ରାଜସ୍ଥାନରେ ଅସମ୍ଭାଳ ତାତି