ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ହେଲାଣି ତାତି। ଦିନକୁ ଦିନ ବଢିଚାଲିଛି ତାପମାତ୍ରା। ଫଳରେ କଲବଳ ହେଉଛନ୍ତି ରାଜ୍ୟବାସୀ। ତେବେ ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ କରୁଛି ଜୀବନ। ସକାଳ ୧୦ ଟାରୁ ଅନୁଭୂତ ହେଉଛି ଟାଣ ଖରା। ଗ୍ରୀଷ୍ମ ଋତୁର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବାର ପୂର୍ବାନୁମାନ କରାଯାଉଛି। ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅନବରତ ବଢୁଛି ତାପମାତ୍ରା। ଏପରିକି ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରୂପେ ପରିଗଣିତ ହେଉଛି। ଦିନର ତାପମାତ୍ରା ୪୪ ଡିଗ୍ରୀ ରୁ ଅଧିକ ରହିଛି।
ଆରଏମସିର ସୂଚନା ଅନୁଯାୟୀ,ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ। ତେବେ ବଢୁଥିବା ତାତିରେ ରାସ୍ତା ଘାଟ ଶୂନ୍ୟ ପଡ଼ିଥିବା ବେଳେ, ଥଣ୍ଡା ପାଣି ଓ ଛାୟା ପାଇଁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଏହାସହିତ ରାସ୍ତାର ପ୍ରତ୍ୟେକଟି ଛକରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ଏତିକି ଦିନରେ ଶ୍ରମିକ ମାନଙ୍କୁ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଛି। ଯଦି କେହି ଠିକାଦାର ଶ୍ରମିକଙ୍କୁ କାମ କରିବାକୁ ବାଧ୍ୟ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଜାରି କରିଛି।